ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ମୃତଦେହ ଘୋଷାଡି ନେଲା ପୋଲିସ, କାଳିଆଗଞ୍ଜରେ ବ୍ୟାପକ ହିଂସା

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ରାଜ୍ୟର କାଳିଆଗଞ୍ଜ ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୀଡିତାଙ୍କ ମୃତଦେହ ମିଳିବା ପରେ ପୋଲିସ ମରଶରୀରକୁ ରାସ୍ତାରେ ଟାଣି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ହିଂସା ଉପୁଜିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଲୋକମାନେ ଆନ୍ଦୋଳନ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତାରୋକ କରିବା ସହ ପୋଲିସ ଉପରେ ପଥରମାଡ କରିଛନ୍ତି । ପୋଲିସ ମଧ୍ୟ ସେମାନଙ୍କୁ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗଙ୍ଗୁଆ ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ନାବାଳିକା ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ ପାଇଁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର ଓ ଗାଁ ଲୋକେ ରାତି ସାରା ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏହାର ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ଏକ ସ୍ଥାନରେ ନାବାଳିକାଙ୍କ ମୃତଦେହ ପଡିଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଅଭିଯୋଗ ହୋଇଥିଲା । ଏହାପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ କିଛି ପୋଲିସ କର୍ମୀ ପୀଡିତାଙ୍କ ମୃତଦେହରୁ ରାସ୍ତାରେ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦିନାଜପୁର ଏସପି କହିଛନ୍ତି, ”ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ନାବାଳିକାଙ୍କ ମୃତଦେହ ପାଖରୁ ଗୋଟିଏ ବୋତଲ ମିଳିଛି । ବୋତଲରେ ବିଷ ଥିବାର ସନ୍ଦେହ କରାଯାଉଛି । ପୀଡିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।” ସେପଟେ ଏହି ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ପୋଲିସ ତାଙ୍କୁ ଅନୁମତି ଦେଲାନି । ପୋଲିସ ଜାଣିଶୁଣି ପ୍ରମାଣକୁ ଚାପି ଦେବାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଯେଉଁଭଳି ଭାବେ ପୋଲିସ ପୀଡିତାଙ୍କ ମୃତଶରୀର ଘୋଷାଡି ନେଲା ତାହା ନିନ୍ଦନୀୟ ବୋଲି କହିଛି ବିଜେପି ।