ବିଜେଡିର ଅଭିଯୋଗ, ସମ୍ବଲପୁରରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରୁଛି ବିଜେପି

ଭୁବନେଶ୍ବର,ଏଜେନ୍ସି: ସମ୍ବେଦନଶୀଳ ଘଟଣା ପରେ ସ୍ୱାଭାବିକ ହେଉଛି ସମ୍ବଲପୁର । ଲୋକଙ୍କ ପୂର୍ଣ୍ଣ ସହଯୋଗ ଏବଂ ପୋଲିସ ପ୍ରଶାସନର ଦୃଢ ଉଦ୍ୟମ ଯୋଗୁଁ ସେଠାରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶା ବିଜେପି ନେତାମାନେ ସ୍ଥିତି ସ୍ୱାଭାବିକ ହେଉ ବୋଲି ଚାହୁଁନାହାନ୍ତି । ଏଭଳି ଘଟଣା ଜାରି ରହୁ ବୋଲି ସେମାନଙ୍କ ଦ୍ୱାରା ଜାରି ବିବୃତ୍ତିରୁ ଜଣାପଡୁଛି । ଏଭଳି ଅଭିଯୋଗ କରିଛନ୍ତି ବିଜେଡିର ଦୁଇ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ପ୍ରସାଦ ମିଶ୍ର ।

ଉଭୟଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିଜେପିର ପ୍ରାରମ୍ଭିକ ପ୍ରୟାସ ବିଫଳ ହୋଇଛି । ରାଜ୍ୟ ବିଜେପି ନେତାମାନେ ବର୍ତ୍ତମାନ ବିଭିନ୍ନ ଉପାୟରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବନ୍ଦ ଡାକରା ଦେଇଥିଲା । ଯାହା ଓଡ଼ିଶାର ଗରିବ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଥିଲା । ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି ।

ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏହାର ଲୋକମାନେ ଶାନ୍ତିପ୍ରେମୀ । କିନ୍ତୁ ରାଜ୍ୟ ବିଜେପି ସେମାନଙ୍କୁ ଆଇନ ବିହୀନ ବୋଲି କହି କ୍ରମାଗତ ଭାବରେ ଅପମାନିତ କରୁଛି । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ । ରାଜ୍ୟବାସୀ ଶାନ୍ତି ଚାହୁଁଛନ୍ତି ଏବଂ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ୱାଭାବିକ ହେଉ ଚାହୁଁଛନ୍ତି । ଯାହା ବିଜେପିର ଏଜେଣ୍ଡା ସହ ମେଳ ଖାଉ ନାହିଁ । ତେଣୁ ସେମାନେ କ୍ରମାଗତ ଭାବରେ ଓଡ଼ିଶା ଏବଂ ୪.୫ କୋଟି ଓଡ଼ିଆବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ସମ୍ବଲପୁରର ସମ୍ବେଦନଶୀଳ ପ୍ରସଙ୍ଗକୁ ଜାରି ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ପ୍ରେସ୍ ବିବୃତି ଜରିଆରେ ଏହା କହିଛନ୍ତି ଦେବୀ ଓ ପ୍ରସନ୍ନ ।

ସମ୍ବଲପୁର ଘଟଣାରେ ହସ୍ତକ୍ଷେପ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ପୂର୍ବ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରା ଉପରକୁ ସେହି ସମାନ ସ୍ଥାନରେ ଆକ୍ରମଣ ହୋଇଥିଲା । ୨୦୦ରୁ ଊର୍ଦ୍ଧ୍ବ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ସଂଘବଦ୍ଧ ହୋଇ ଖଣ୍ଡା, ଲୁହା ରଡ, ଲାଠି ସହାୟତାରେ ଆକ୍ରମଣ ଯୋଜନା କରିଥିଲେ ବୋଲି ପୋଲିସ ଏଫ୍‌ଆଇଆର୍‌ରେ ଉଲ୍ଲେଖ ଅଛି । ଏହା ଏସପି ନିଜେ ସ୍ୱୀକାର କରିଛନ୍ତି । ଏହି ଗଣ୍ଡଗୋଳ ସୁଚନ୍ତିତ ଏବଂ ପୂର୍ବ ଯୋଜନାବଦ୍ଧ ଥିଲା ବୋଲି ପୋଲିସ ସ୍ୱୀକାର କରିଛି । ଆକ୍ରମଣକାରୀ ବିଭିନ୍ନ ଉତ୍ତେଜନାମୂଳକ ଓ ରାଷ୍ଟ୍ରବିରୋଧୀ ସ୍ଲୋଗାନ ଦେଇଥିଲେ । ଏଭଳି ସ୍ଲୋଗାନ ଆଦୌ ଗ୍ରହଣୀୟ ନୁହେଁ । ୟୁଏପିଏ ଓ ଏନଏସଏ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ।

ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରାଯାଇ ନାହିଁ । ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ମୁଖ୍ୟ ଷଡଯନ୍ତ୍ରକାରୀକୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଆକ୍ରମଣକାରୀଙ୍କ ବଦଳରେ ପୀଡିତ ନିରୀହ ଲୋକଙ୍କୁ ପୋଲିସ ଗିରଫ କରୁଛି । ଏଭଳି ଘୃଣ୍ୟ ହିଂସାକାଣ୍ଡକୁ ନିନ୍ଦା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଏନଆଇଏ ଦ୍ୱାରା କରାଇ ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।