ନନ୍ଦିଗ୍ରାମରେ ମତଦାନ ବେଳେ ହିଂସାକାଣ୍ଡ : ୨ ଘଣ୍ଟା ଅଟକ ରହିଲେ ମମତା

କୋଲକାତା, ଏଜେନ୍ସି: ଗୁରୁବାର ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ହିଂସାକାଣ୍ଡ ଘଟିଛି। ଏହି ଆସନରେ ମମତା ଓ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲାବେଳେ ବୁଥ୍ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ଏଠାରେ ଭୋଟଗ୍ରହଣ ଚାଲିଥିବାବେଳେ ବିଜେପି କର୍ମୀମାନେ ମମତାଙ୍କୁ ୭ ନମ୍ବର ବୁଥରେ ପ୍ରାୟ ଦୁଇ ଘଣ୍ଟା ଅଟକ ରଖିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ମମତା ସିଆରପିଏଫ୍ ଯବାନଙ୍କ ସହାୟତାରେ ଭୋଟ୍ ଗ୍ରହଣ କେନ୍ଦ୍ର ବାହାରକୁ ଆସିଥିଲେ। ମମତା ଉକ୍ତ ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରୁ ବୁଥରୁ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ଏ ସମ୍ପର୍କରେ ଅବଗତ କରିବା ସହ ନିର୍ବାଚନ କମିଶନ ନିକଟରେ ଏନେଇ ଅଭିଯୋଗ କରିଥିଲେ।

ରାଜ୍ୟପାଳ ଟ୍ୱିଟ୍ କରି ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବା ପରେ କମିଶନ ଦୁଇଜଣ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଶୁକ୍ରବାର ସୁଦ୍ଧା ରିପୋର୍ଟ ମାଗିଛନ୍ତି।
କେବଳ ସେତିକି ନୁହେଁ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ କେତେକ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଜବରଦଖଲ କରାଯାଇଥିବା ଉଭୟ ଦଳ ତୃଣମୂଳ କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷାରୋପ କରିଛନ୍ତି। ଭୋଟ୍ ଗ୍ରହଣ ବେଳେ ହିଂସାକାଣ୍ଡ ନେଇ ବାରମ୍ବାର ଜଣାଇବା ସତ୍ତେ୍ୱ ନିର୍ବାଚନ କମିଶନ ନିଷ୍କ୍ରିୟତା ଅବଲମ୍ବନ କରୁଥିବା ଅଭିଯୋଗ କରି ମମତା ଅଦାଲତକୁ ଯିବେ ବୋଲି ଏହା ପୂର୍ବରୁ ଧମକ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଥିଲେ, କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହଙ୍କ ଇଙ୍ଗିତକ୍ରମେ ନନ୍ଦିଗ୍ରାମରେ ନିୟୋଜିତ କେନ୍ଦ୍ରୀୟ ବାହିନୀ ବିଜେପି ପ୍ରାର୍ଥୀଙ୍କୁ ସାହାଯ୍ୟ କରିଛନ୍ତି। ନିର୍ବାଚନ କମିଶନ ମଧ୍ୟ ଶାହଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି।