ଶୁଭାରମ୍ଭ ହେଲା ଭିମ୍ ୨.୦ ଆପ୍

ନୂଆଦିଲ୍ଲୀ,ଏଜେନ୍ସି: ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରଣାଳୟ ତରଫରୁ ଭିମ୍ ୨.୦ ଆପ୍ଲିକେସନର ଶୁଭାରମ୍ଭ କରାଯାଇଛି। ଏଥିସହିତ ନୂତନ ପ୍ରୟାସ ଏବଂ ନୂତନ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଘୋଷଣା କରାଯାଇଛି। ଭିମ୍ ୨.୦ରେ ଅତିରିକ୍ତ ଭାଷା ସହିତ ନେଣଦେଣ ସୀମାର ବୃଦ୍ଧି ଏବଂ ଅନ୍ୟ ସୁବିଧା ଉପଲବ୍ଧ କରାଯାଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରଣାଳୟର ଏମଇଆଇଟିୱାଇ ଷ୍ଟାର୍ଟଅପ ଶିଖର ସମ୍ମିଳନୀରେ ଷ୍ଟାର୍ଟଅପ୍ ହବ୍ ପୋର୍ଟାଲ୍ ଏବଂ ଇଣ୍ଡିଆନ୍ ସଫ୍ଟୱେର୍ ପ୍ରଡକ୍ଟ ରେଜିଷ୍ଟ୍ରୀ ମଧ୍ୟ ଶୁଭାରମ୍ଭ କରିଛନ୍ତି।

ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ବିକଶିତ ଏବଂ ୟୁପିଆଇ ଆଧାରିତ ପେମେଣ୍ଟ ପ୍ଲାଟଫର୍ମ ହେଉଛି ଭୀମ୍ ଆପ୍। ୨୦୧୬ ମସିହା ଡିସେମ୍ବରରେ ଏହାର ଶୁଭାରମ୍ଭ କରାଯାଇଥିବାବେଳେ ଏହା ଜରିଆରେ ବାସ୍ତବିକ ସମୟରେ ଟଙ୍କା ନେଣଦେଣ କରାଯାଏ। ଏକ ଅଧିକାରିକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭୀମ୍ ଆପକୁ ଆହୁରି ଅଧିକ ଉପଯୋଗୀ ଓ ପ୍ରଭାବୀ କରିବା ପାଇଁ ଏଥିରେ ନୂତନ ଫିଚର୍ ଯୋଡ଼ାଯାଇଛି। ଭୀମ୍ ଆପ୍ର ଏହି ନୂତନ ଭର୍ସନରେ ନେଣଦେଣର ସୀମା ବୃଦ୍ଧି କରାଯିବା ସହିତ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଯୋଡ଼ିବା, ଆଇପିଓ ପାଇଁ ଆବେଦନର ବିକଳ୍ପ, ଉପହାର ସ୍ୱରୂପ ଟଙ୍କା ପ୍ରଦାନ କରିବା ଆଦି ସାମିଲ ରହିଛି। ଭୀମର ଏହି ନୂତନ ଭର୍ସନ୍ ୧୩ଟି ଭାଷା ସହିତ ଅନ୍ୟ ୩ଟି ଅତିରିକ୍ତ ଭାଷା (କୋଙ୍କଣି, ଭୋଜପୁରୀ ଓ ହରିୟାଣୀ)ରେ ଉପଲବ୍ଧ ହେବ।