ବନ୍ୟା ପାଣିରେ ଭାସିଯାଉଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଶୀର୍ଷା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ସୁବର୍ଣ୍ଣରେଖା ନଇରେ ଭାସି ଯାଉଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଡ଼ଙ୍ଗା ନେଇ ନଦୀ ଆର ପଟକୁ ଆମ୍ବ ଆଣିବାକୁ ଯାଉଥିବା ବେଳେ ହଠାତ୍ ନଇରେ ପାଣି ମାଡି ଆସିଥିଲା। ଏହି ପରିପ୍ରେକ୍ଷୀରେ ୬ ଜଣ ନଇ ଭିତରେ ଫସିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ।

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତୋଟାସାହି ଗାଁ’ରେ। ଆଜି ସନ୍ଧ୍ୟା ପୂର୍ବରୁ ସୂବର୍ଣ୍ଣରେଖା ନଇରେ ହଠାତ୍ ବଢିପାଣି ମାଡି ଆସିଥିଲା। ନଇ ଭିତରେ ରହି ଯାଇଥିବା ୬ଟି ଡଙ୍ଗାକୁ ନଇ କୂଳକୁ ଆଣିବା ପାଇଁ ୬ ଜଣ ନଇ ଭିତରକୁ ଯାଇଥିଲେ। ପାଣି ଏତେ ବଢି ଯାଇଥିଲା ଯେ ସେମାନେ କୂଳକୁ ଫେରିପାରି ନଥିଲେ। ନଇ ଭିତରୁ ଡାକ ଛାଡ଼ିବା ପରେ ଗ୍ରାମବାସୀ ଏକଜୁଟ ହୋଇ ରସି ଫିଙ୍ଗି ଥିଲେ। ରସି ସହାୟତାରେ ୪ ଜଣ ବ୍ୟାକ୍ତିଙ୍କୁ ଉଦ୍ଧାର କରାଯାଇଥିଲା।

ସେ‌ହିପରି ଅନ୍ୟ ଦୁଇ ଜଣ ଭାସି ଯାଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଲୋକ ହେଲେ ତାଟସାହି ଗ୍ରାମର ରବି ସିଂ(୨୧), ଝଣ୍ଟୁ ସିଂ(୧୯), ରାଜେନ୍ଦ୍ର ରାଉତ(୫୬), ଦେବେନ୍ଦ୍ର ରାଉତ(୪୫), ହଡିବନ୍ଧୁ ଦାସ(୬୦) ଓ ଗୁରୁପ୍ରସାଦ ଦାସ(୫୦) ବୋଲି ଜଣାପଡ଼ିଛି। ସେମାନେ ସମସ୍ତେ ସୁସ୍ଥ ଅଛନ୍ତି।