ଆଳି,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକର ନଦୀନାଳ ଘେରା ପଦନୀପାଳ ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ ବିରୋଧରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପଦନୀପାଳ ପଞ୍ଚାୟତ ଖରସ୍ରୋତା ଓ କାଣୀ ନଦୀ ଘେରରେ ରହିଛି। ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର ସାହାଯ୍ୟ ଲୋଡିଥାନ୍ତି।
ପଦନୀପାଳ ପଞ୍ଚାୟତ ବାସୀ ରାଜକନିକା ବ୍ଳକ ନମତରା ଗ୍ରାମଦେଇ ଯାତାୟାତ କରିଥାନ୍ତି। ମାତ୍ର ନମତରା ଗ୍ରାମର କିଛି ଟ୍ରାକ୍ଟର ମାଲିକ ଓ ବାଲି ମାଫିଆ ପଦନୀପାଳ ବାସୀଙ୍କ ଜମିରୁ ଜୋର ଜବରଦସ୍ତ ବାଲି ଉଠାଉଥିଲେ। ଏହାକୁ ପଦନୀପାଳ ଗ୍ରାମବାସୀ ବିରୋଧ କରିବାରୁ ନମତରା ଗ୍ରାମବାସୀ ରାସ୍ତା କାଟି ଦେଇଥିଲେ। ପରେ ଏହି ରାସ୍ତାଟିକୁ ସମ୍ପୂର୍ଣ ଭାବେ ନମତରା ବାସୀ ଅବରୋଧ କରିଛନ୍ତି। ଫଳରେ ସେମାନେ ଯାତାୟାତ କରି ପାରୁନାହାନ୍ତି।
ଘଟଣାର ସମାଧାନ ନିମନ୍ତେ ଗୁରୁବାର ଦିନ ପୂର୍ବାହ୍ଣରେ ଶତାଧିକ ପଦନୀପାଳ ଗ୍ରାମବାସୀ ତହସିଲଦାର ତପନ ସେନାପତିଙ୍କୁ ଭେଟି ଦାବି କରିଛନ୍ତି। ପରେ ଶ୍ରୀ ସେନାପତି ରାଜକନିକା ତହସିଲଦାର, ଆଳି ଆଇଆଇସି, ରାଜକନିକା ଆଇଆଇସିଙ୍କ ସହିତ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବେ ବୋଲି ସୂଚନା ଦେଇଛନ୍ତି।