ମହାସିନ୍ଧୁ ବଦଳରେ ରେଙ୍ଗତାରେ ହାଇସ୍କୁଲ ସ୍ଥାନାନ୍ତରକୁ ଗ୍ରାମବାସୀଙ୍କ ପ୍ରତିବାଦ

ଦେବଗଡ଼,ଏନ୍‌ଏନ୍‌ଏସ୍ : ରିଆମାଳ ବ୍ଲକ ନୂଆଡ଼ିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଥିବା ବିଦ୍ୟାଳୟକୁ ରେଙ୍ଗତା ଗ୍ରାମକୁ ସ୍ଥାନାନ୍ତର ପ୍ରତିବାଦରେ ଆଜି ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଦୃଢ଼ ପ୍ରତିବାଦ କରିଛନ୍ତି । ଏହାସହ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦଶନ୍ଧି ପୂର୍ବେ ରେଙ୍ଗାଲି ନଦୀବନ୍ଧ ଯୋଜନାରେ ରେଙ୍ଗାତା ଗ୍ରାମ ଜଳବୁଡ଼ି ହେବା ପରେ ମହାସିନ୍ଧୁଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରେଙ୍ଗତା ବିଦ୍ୟାଳୟକୁ ମିଶ୍ରଣ କରାଯାଇ ଶିକ୍ଷାଦାନ ଜାରି ରହିଥିଲା । ତେବେ ଗତ ୧୬-୧୭ ଆର୍ôଥକ ବର୍ଷରେ ରେଙ୍ଗତା ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ସ୍କୁଲ କୋଠା ନିର୍ମାଣ କରାଯାଇଥିଲେ ମଧ୍ୟ ବ୍ୟବହାର କରାଯାଇ ନଥିଲା । ଇତିମଧ୍ୟରେ ୫ଟି ଯୋଜନାରେ ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମରେ ନୂତନ କୋଠାକୁ ସାମିଲ କରାଯାଇଥିବାବେଳେ ଗ୍ରାମବାସୀମାନେ ଏହାକୁ ଦୃଢ଼ ବିରୋଧ କରିଥିଲେ । ତେବେ ଗତ କିଛିଦିନ ଧରି ମହାସିନ୍ଧୁ ସ୍କୁଲକୁ ରେଙ୍ଗତା ସ୍ଥାନାନ୍ତର ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯିବାକୁ ଗ୍ରାମବାସୀମାନେ ବିରୋଧ କରିବା ସହ ପ୍ରସ୍ତାବିତ ବିଦ୍ୟାଳୟ ଯିବାକୁ ମହାସିନ୍ଧୁ ଗ୍ରାମର ପିଲାଙ୍କୁ ଦୂର ହେବାସହ ବିଭିନ୍ନ ଅସୁବିଧା ଦର୍ଶାଇଛନ୍ତି । ଏନେଇ ଗ୍ରାମବାସୀମାନେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିବାବେଳେ ମାନ୍ୟବର ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ବିଦ୍ୟାଳୟକୁ ସ୍ଥାନାନ୍ତର ନକରି ପୂର୍ବ ସ୍ଥାନରେ ଚାଲୁ ରଖିବାକୁ ନିର୍ଦେଶ ଦେଇଥିଲେ । ହେଲେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଅଦାଲତ ନିର୍ଦ୍ଦେଶକୁ ବେଖାତିର କରି ବିଦ୍ୟାଳୟ ସ୍ଥାନନ୍ତର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।