ଡୁଙ୍ଗୁରିପାଲିରେ ସୋଲାର ପ୍ଲାଣ୍ଟ ସ୍ଥାପନକୁ ଗ୍ରାମବାସୀଙ୍କ ବିରୋଧ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତରେ ସୋଲାର ପ୍ଲାଣ୍ଟ ସ୍ଥାପନକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଗତ କିଛିଦିନ ହେବ ଛକାପଞ୍ଜା ଲାଗି ରହିଥିଲା । ସ୍ଥାନୀୟ ସରପଞ୍ଚ ଗଜପତି ସାହୁ ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଉକ୍ତ ପଞ୍ଚାୟତରେ ହେବାକୁ ଥିବା ସୋଲାର ପ୍ଲାଣ୍ଟକୁ ନେଇ ଅଭିଯୋଗ କରିଥିଲେ । ଶ୍ରୀ ସାହୁଙ୍କ ଅନୁପସ୍ଥିତିରେ ଗ୍ରାମସଭାରେ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଉଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋକ ସତ୍ୟବାନ ମହାଜନଙ୍କୁ ତୁରନ୍ତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଜନ ଶୁଣାଣୀ ଶିବିର କରି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମହାଜନ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ବେଲଗାଁ ଜିଲ୍ଲାପରିଷଦଙ୍କ ପ୍ରତିନିଧି ଡୋଲମଣୀ ଥାପା, ସ୍ଥାନୀୟ ସରପଞ୍ଚ ଗଜପତି ସାହୁ ଓ ସମିତି ସଭ୍ୟ ଅବଧୂତ ସାହୁଙ୍କ ଉପସ୍ଥିତିରେ ଗ୍ରାମରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ ସୋଲାର ପ୍ଲାଣ୍ଟକୁ ବିନା ଗ୍ରାମସଭାରେ କିମ୍ବା ଗ୍ରାମବାସୀଙ୍କ ଅଜାଣତରେ ପ୍ରଶାସନ ଆଦିତ୍ୟ ବିର୍ଲାକୁ ଟେକି ଦେଉଥିବା ଅଭିଯୋଗ କରିଥିଲେ । ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିବାବେଳେ ଆମର ମୁଣ୍ଡ ଗଡ଼ିଯାଉ ପଛେ ସୋଲାର ପ୍ଲାଣ୍ଟ ନିର୍ମାଣ କେବେ ବି ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଚେତାବନୀ ଦେଇଥିଲେ । ହେଲେ ସମସ୍ୟାକୁ ସମାଧାନ ନ କରି ଉପଜିଲ୍ଲାପାଳ ଫେରି ଯାଇଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଉପଜିଲ୍ଲାପାଳ ଲଳିତ ବାଗଙ୍କ ସହ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ଓ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।