ରାଜସ୍ୱ ଗ୍ରାମର ମାନ୍ୟତା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ପଲସାକୁଦର ଗ୍ରାମବାସୀ

ଦେବଗଡ଼,ଏନ୍ଏନ୍ଏସ୍: ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏ ମର୍ମରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୫୦୦ ଜନ ସଂଖ୍ୟା ବିଶିଷ୍ଟ ପଳସାକୁଦର ଗ୍ରାମଟି ହେମଲେଟ ରହିଥିବାରୁ ଉକ୍ତ ଗ୍ରାମକୁ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନାହିଁ।

ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ଗମନା ଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ। ସେହିପରି ଏହି ସମସ୍ୟାକୁ ନେଇ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଫଳରେ ଆଜି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପଳସାକୁଦର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଦାବି କରିବାସହ ଏ ମର୍ମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।