ହାତୀ ଦାଉରୁ ରକ୍ଷା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସନନାଳି ଗ୍ରାମବାସୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅସନନାଳି ଗ୍ରାମରେ ହାତୀ ଉପଦ୍ରବ ଯୋଗୁ ଜନସାଧାରଣ ଅତିଷ୍ଠ ହୋଇ ପ୍ରତିକାର ଦାବିରେ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଅସନନାଳି କଟାସାହି ଗ୍ରାମରେ ଗତ କିଛିଦିନ ଧରି ହାତୀପଲ ଗ୍ରାମ ମଧ୍ୟକୁ ପଶି ଆସି ଫସଲ ନଷ୍ଟ କରିବା ସହ ବାସଗୃହ ଆଦି ଭାଙ୍ଗିରୁଜି ନଷ୍ଟ କରୁଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିବାବେଳେ ବନ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ବନ ବିଭାଗ ତତ୍ପରତା ପ୍ରକଶ କରୁନଥିବାରୁ ଏନେଇ ଗ୍ରାମର ନିରାକାର ଲୁହୁରା ଓ ଯୋଗେଶ୍ୱର ସାମଲଙ୍କ ସମେତ ବହୁ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ। ଏଥିସହିତ ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ପାଇଁ ଗ୍ରାମରେ ବନ ବିଭାଗ ପକ୍ଷରୁ ବନ କର୍ମଚାରୀ ମୁତୟନ ସହ ଏକ ଅସ୍ଥାୟୀ ବିଟ ପ୍ରତିଷ୍ଠା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।