ପ୍ରଶାସନର ଅବହେଳା ଯୋଗୁଁ ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ
ଦେବଗଡ଼ ଜିଲ୍ଲା ମୁଖ୍ୟାଳୟରୁ ୧୫ କିଲୋମିଟର ଦୂରରେ ରହିଛି ଗ୍ରାମ
ଦେବଗଡ଼,ଏନ୍ଏନ୍ଏସ୍: ସ୍ୱାଧୀନତାର ୭ ଦଶନ୍ଧି ବର୍ଷ ପରେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ତଥା ପାନୀୟ ଜଳ ପରି ମୌଳିକ ସୁବିଧା ପ୍ରଦାନ କରିବାରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଟାଇଁସର ପଞ୍ଚାୟତ ଚନ୍ଦନଖୁଣ୍ଟି ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟାଇଁସର ପଞ୍ଚାୟତରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଚନ୍ଦନଖୁଣ୍ଟି ଗ୍ରାମରେ ବସବାସ କରୁଥିବା ୪୫ଟି ଓରାମ, ମୁଣ୍ଡା, ସହରା ଓ ଶବର ସମ୍ପ୍ରଦାୟର ଆଦିବାସୀ ପରିବାର ପଶୁତୁଲ୍ୟ ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ଗ୍ରାମକୁ ପହଞ୍ଚିବାକୁ ହେଲେ ୩ଟି ପାହାଡ଼, ୨ଟି ନାଳ ଅତିକ୍ରମ କରି ବିପଦ ପୂର୍ଣ୍ଣ ପାଦଚଲା ରାସ୍ତାରେ ଯିବାକୁ ପଡ଼ୁଛି।

ସେହିପରି ଏହି ଗ୍ରାମର ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ସବୁଠୁ ବଡ଼ ସମସ୍ୟା ରହିଥିବା ବେଳେ ଉକ୍ତ ଗ୍ରାମର ଗୋଟିଏ ବସ୍ତି ୧ କିଲୋମିଟର ଦୂରରେ ଥିବା ନାଳ ପାଣି ଉପରେ ନିର୍ଭର କରି ଚଳୁଛନ୍ତି। ସେହିପରି ଅନ୍ୟ ବସ୍ତି ବାସିନ୍ଦା ଚୁଆ ଉପରେ ନିର୍ଭର କରି ଚଳୁଛନ୍ତି। ଏହି ବଣ ପାହାଡ଼ ଘେରା ଚନ୍ଦନଖୁଣ୍ଟି ଗ୍ରାମରେ ଶିକ୍ଷା ମଧ୍ୟ ଅପହଞ୍ଚ ରହିଛି। ଫଳରେ ଏଠାକାର ଶିଶୁ ଏହି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସେହିପରି ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପହଞ୍ଚିପାରୁନାହିଁ। ଏପରିକି ଗାଡ଼ିଟିଏ ମଧ୍ୟ ସେହି ରାସ୍ତାରେ ଯାଇପାରିବ ନାହିଁ। ଫଳରେ ଉକ୍ତ ଅଞ୍ଚଳର ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ ବୃଦ୍ଧାଙ୍କର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଗାଣ୍ଡୁଆ ଭାର କିମ୍ବା ଖଟିଆ ହିଁ ଏକ ମାତ୍ର ଭରସା।

ତେବେ ଏହି ଅପହଞ୍ଚ ଅଞ୍ଚଳ ଚନ୍ଦନଖୁଣ୍ଟି ଗ୍ରାମ ବିଷୟରେ ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କ ମତାମତ ଲୋଡିବାରୁ ଉକ୍ତ ଅଞ୍ଚଳରେ ଯୋଜନା କାର୍ଯ୍ୟକାରୀ ପାଇଁ ବନବିଭାଗର ଅନୁମତି ଆବଶ୍ୟକ ହେଉଥିବା ବେଳେ ସଂରକ୍ଷିତ ଜଙ୍ଗଲ ଯୋଗୁଁ ବନବିଭାଗ ଅନୁମତି ଦେଉନଥିବା କୁହାଯାଉଛି।
