୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟର ଜନୈକ ବରିଷ୍ଠ କିରାଣୀ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମୋଟୁ ଥାନା ଏମ ଭି-୮୨ଗ୍ରାମର ଜୀବନ ମଣ୍ଡଳ ନାମକ ବ୍ୟକ୍ତିଙ୍କ ନାମରେ ଜମି ସଂକ୍ରାନ୍ତୀୟ ୧୪୪ ସିଆରପିସି ମାମଲାକୁ ରଦ୍ଦ କରିବାକୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଏ ବିଷୟରେ ଶ୍ରୀ ମଣ୍ଡଳ ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ। ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିବାବେଳେ ଆଜି ବଳକା ୮୦ ହଜାର ଟଙ୍କା ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କୋରାପୁଟ ଦୁର୍ନୀତି ନିବାରଣ ବିଭାଗ ଓ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ।  ବରିଷ୍ଠ କିରାଣୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା ସମ୍ମୁଖରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଆର ବିଜୟ କୁମାର ଓ ଜୟପୁରର ଇନସ୍ପେକ୍ଟର ଆରଡି. ନାୟକ ଏବଂ ସଞ୍ଜୀବ କୁମାର ସାହୁ ଚଢ଼ଉ କରି ଉକ୍ତ ଟଙ୍କା ଜବତ କରିଥିଲେ। ପରେ ଶ୍ରୀ ନାୟକଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛନ୍ତି। ଏଥିସହ ତାଙ୍କର ବାସଗୃହ ଓ ଅନ୍ୟାନ୍ୟ ସ୍ଥାନରେ ଚଢଉ ଜାରି ରହିଥିବା ଜଣାପଡିଛି। ତାଙ୍କ ବାସଭବନରୁ ଆଜି ଭିଜିଲାନ୍ସ ଟିମ ୨୦ ହଜାର ଟଙ୍କା ଜବତ କରିବା ସହ ବିଭିନ୍ନ ସ୍ଥାନରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ଚଢଉ ଜାରି ରହିଛି ବୋଲି ଡିଏସପି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି।