ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ

ବାରିପଦା, ଏନ୍ଏନ୍ଏସ୍:  ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପ୍ରୋଜେକ୍ଟର ସବସିଡି ପାଶ କରାଇବା ସାଙ୍ଗକୁ କାର୍ଯ୍ୟାଦେଶ ପ୍ରଦାନ ନିମନ୍ତେ ହିତାଧିକାରୀ ଦୁର୍ଯ୍ୟତି ଦାସଙ୍କ ନିକଟରୁ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ। ସୂଚନା ଅନୁସାରେ, ମତ୍ସ୍ୟ ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୬୦ ପ୍ରତିଶତ ସବସିଡ଼ିରେ ଋଣ ଯୋଗାଇ ଦିଆଯାଉଛି। ଉକ୍ତ ସବସିଡ଼ି ଯୋଜନାରେ ବାରିପଦା ସହରର ଦୁର୍ଯ୍ୟତି ଦାସ ଦୁଇଟି ପ୍ରୋଜେକ୍ଟ ପ୍ରସ୍ତୁତ କରି ୨୫ ଲକ୍ଷ ଟଙ୍କା ଋଣ ନେବା ନିମନ୍ତେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଉକ୍ତ ପ୍ରୋଜେକ୍ଟ ପାସ ହୋଇ କାର୍ଯ୍ୟ ଶେଷ ହେବାପରେ ଦୁର୍ଯ୍ୟତି ଦାସଙ୍କୁ ୨୫ ଲକ୍ଷ ଟଙ୍କା ଋଣ ଉପରେ ୬୦ ପ୍ରତିଶତ ହାରରେ ମୋଟ ୧୫ ଲକ୍ଷ ଟଙ୍କା ସବସିଡ଼ି ମିଳିବ। ତେଣୁ ଉକ୍ତ ପ୍ରୋଜେକ୍ଟର କାର୍ଯ୍ୟାଦେଶ ପ୍ରଦାନ ସାଙ୍ଗକୁ ସବସିଡ଼ି ଟଙ୍କା ପାସ କରାଇଦେବା ପାଇଁ ହିତାଧିକାରୀ ଦୁର୍ଯ୍ୟତି ଦାସଙ୍କୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ ୧ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଦୁର୍ଯ୍ୟତି ଦାସ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଦୁର୍ଯ୍ୟତି ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସରୁ ଆଣିଥିବା ରଙ୍ଗବୋଳା ୧ଲକ୍ଷ ୧୦ ହଜାର ଟଙ୍କା ଧରାଇ ଛପି ରହିଥିବା ଭିଜିଲାନ୍ସ ଟିମଙ୍କୁ ସଙ୍କେତ ଦେବାପରେ ଭିଜିଲାନ୍ସ ଟିମ ଅତର୍କିତ ଭାବେ ଚଢ଼ଉ କରି ସୁରେନ୍ଦ୍ରଙ୍କ ନିକଟରୁ ରଙ୍ଗବୋଳା ସମସ୍ତ ଟଙ୍କା ସହିତ ରେଡ଼ ହ୍ୟାଣ୍ଡରେ ତାଙ୍କୁ ଗିରଫ କରିଥିଲେ। ଉକ୍ତ ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସୁରେନ୍ଦ୍ରଙ୍କ ନାମରେ ଦୁର୍ନୀତି ନିରୋଧ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଏସପି ସନ୍ତୋଷ କୁମାର ମିଶ୍ରଙ୍କ ସୂତ୍ରରୁ ଜଣାପଡ଼ିଛି।