ଢେଙ୍କାନାଳ ରାଜପ୍ରାସାଦରେ ଭାରତୀୟ ସେନାର ବିଜୟ ମଶାଲ

ଢେଙ୍କାନାଳ,ଏନ୍ଏନ୍ଏସ୍: ଭାରତୀୟ ସୈନ୍ୟ ବାହିନୀର ପାକିସ୍ତାନ ସହ ୧୯୭୧ ମସିହା ଯୁଦ୍ଧ ସଫଳତାର ବିଜୟ ଓ ବାଂଲାଦେଶକୁ ସ୍ବାଧୀନତା ଦେଇଥିବାର ୫୦ବର୍ଷ ପୁର୍ତ୍ତି ପାଳନ କରୁଛି ଭାରତ। ଏହି ଯୁଦ୍ଧରେ ସାମିଲ ହୋଇଥିବା ବୀର ସୈନିକଙ୍କୁ ମନେ ପକାଇ ସ୍ବତନ୍ତ୍ର ବିଜୟ ମଶାଲ ସେମାନଙ୍କ ପାଖରେ ପହଞ୍ଚାଇ ଭାରତର ଏହି ବୀର ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ୧୯୭୧ ମସିହା ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ସୈନ୍ୟବାହିନୀର ବ୍ରିଗେଡିୟର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଓ ତାଙ୍କ ସାନଭାଇ ଉଇଙ୍ଗ କମାଣ୍ଡର ବିରଜା ଶଙ୍କର ସିଂହଦେଓଙ୍କୁ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

୫୦ବର୍ଷ ପୁର୍ତ୍ତି ଅବସରରେ ମନେ ପଡିଛନ୍ତି ୧୯୭୧ ମସିହା ଯୋଦ୍ଧା। ଢେଙ୍କାନାଳ ରାଜପ୍ରାସାଦରେ ପହଞ୍ଚିଲା ଭାରତୀୟ ସୈନ୍ୟବାହିନୀର ମଶାଲ। ଭାରତୀୟ ସ୍ଥଳସେନାର ପୂର୍ବତନ ବ୍ରିଗେଡିୟର କେପି ସିଂହଦେଓ ଓ ଉଇଙ୍ଗ କମାଣ୍ଡର ବିଏସ ସିଂହଦେଓଙ୍କୁ ସମ୍ବର୍ଦ୍ଧନା କରାଯାଇଛି।

ଭାରତୀୟ ସୈନ୍ୟ ବାହିନୀ ପକ୍ଷରୁ ଏକ ସ୍ବତନ୍ତ୍ର ବିଜୟ ମଶାଲ ଆସି ବ୍ରିଗେଡିୟର କେପି ସିଂହଦେଓଙ୍କ ବାସଭବନ ଢେଙ୍କାନାଳ ରାଜପ୍ରାସାଦରେ ପହଞ୍ଚିଥିଲା । ୧୨୦ ବାଟାଲିୟନର ଷ୍ଟେସନ ହେଡକ୍ବାର୍ଟରର କମାଣ୍ଡାଣ୍ଟ ରିଷି ୟାହିଙ୍କ ନେତୃତ୍ବରେ ୧୨୦ ବାଟାଲିୟନ, ପଞ୍ଜାବ ରେଜିମେଣ୍ଟ ଓ ବିହାର ରେଜିମେଣ୍ଟର ସାମରିକ ଅଧିକାରୀ ମାନେ ବ୍ରିଜେଡିୟର କେପି ସିଂହଦେଓଙ୍କୁ ଏହି ବିଜୟ ମଶାଲ ପ୍ରଦାନ କରିବା ସହ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପୂର୍ବତନ ଉଇଙ୍ଗ କମାଣ୍ଡର ବିରଜା ଶଙ୍କର ସିଂଦେଓଙ୍କ ବାସଭବନକୁ ଯାଇ ମଶାଲ ପ୍ରଦାନ ଓ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଢେଙ୍କାନାଳ ରାଜପ୍ରାସାଦରେ ରାଜପରିବାରର ସଦସ୍ୟ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହିଥିଲେ। ଭାରତ ସରକାର ପୂର୍ବତନ ସୈନିକଙ୍କୁ ମନେ ପକାଇଥିବାରୁ ବେଶ ଗର୍ବିତ ଅନୁଭବ କରି ଯୁବକଙ୍କୁ ସୈନ୍ୟବାହିନୀରେ ସାମିଲ ହୋଇ ଭାରତ ମାତାର ସୁରକ୍ଷା ଦିଗରେ ଚିନ୍ତା କରିବାକୁ ଆହ୍ବାନ ଦେଇଛନ୍ତି ବ୍ରିଗେଡିୟର କେପି ସିଂହଦେଓ।