ଦେବଗଡ଼,ଏନ୍ଏନ୍ଏସ୍: ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ପୌର ପରିଷଦର ଏକ ଠିକା କାମ ଲାଗି ୪ ଲକ୍ଷ ଟଙ୍କା ବିଲ କରାଇବାକୁ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ବିଲ ଅଟକାଇ ଥିବାବେଳେ ଯନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଠିକାଦାର କଳିତ କୁମାର କର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ଯୋଜନା ମୁତାବକ ଆଜି ଠିକାଦାର ଶ୍ରୀ କର କନିଷ୍ଠଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ୮ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଦେବଗଡ଼ ଭିଜିଲାନ୍ସ ବିଭାଗ ଡିଏସପି ଯୋଗେଶ ପଟେଲ, ସୁନ୍ଦରଗଡ଼ ଡିଏସପି ପ୍ରଦୀପ କୁମାର ଆଇଣ୍ଡ ଓ ୨ଜଣ ଇନ୍ସପେକ୍ଟର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏଥିସହ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କ ପୁରୁଣାଗଡ଼ସ୍ଥିତ ଭଡ଼ାଘର, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପାଲିସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ କରିଥିଲେ । ଗିରଫ ଯନ୍ତ୍ରୀ ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ସମ୍ବଲପୁରସ୍ଥିତ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି ।