କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ୩ କୋଟି ୮୨ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଠାବ

ଝାରସୁଗୁଡା,ଏନ୍ଏନ୍ଏସ୍: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି। ଶ୍ରୀ ପଟେଲଙ୍କ ବ୍ୟାଙ୍କ ବାଲାନ୍ସ, ଘର, ବିଭିନ୍ନ ଖାତା ପତ୍ର ଆଦିର ତର୍ଜମା କରି ୩ କୋଟି ୩୫ ଲକ୍ଷ ୮୨ ହଜାର ୬ଶହ ୪୧ ଟଙ୍କାର ସମ୍ପତ୍ତି ଠାବ କରିଛି। ଏଥିରେ ୨୦ ଲକ୍ଷ ୧୯ ହଜାର ୮ ଶହ ୫୨ ଟଙ୍କାର କେଲାବିରା ବେଲମୁଣ୍ଡାସ୍ଥିତ ଦ୍ୱି ମହଲା କୋଠା, ୩୭ ଲକ୍ଷ ୮୧ ହଜାର ୩୧ଟଙ୍କର ଝାରସୁଗୁଡାସ୍ଥିତ ଦୁଇମହଲା କୋଠା, ୧ କୋଟି ୬୫ ଲକ୍ଷ ୮୯ ହଜାର ୨୮୫ ଟଙ୍କା ମୂଲ୍ୟର ଝାରସୁଗୁଡାରେ ୧୪ଟି ଜମି ପ୍ଲଟ, ସମାସିହାଂରେ ୭ ଲକ୍ଷ ୭୨ ହଜାର ଟଙ୍କାର ପେଟ୍ରୋଲ ପମ୍ପ, ୧୦ ଲକ୍ଷ ଟଙ୍କାର ଏକ କାର୍ , ୧ ଲକ୍ଷ ୨ ହଜାର ୭୦୬ ଟଙ୍କାର ୨ ଟି ବାଇକ୍ , ବିଭିନ୍ନ ବ୍ୟାଙ୍କରେ ଜମାଥିବା ୫୯ ଲକ୍ଷ ୮୫ ହଜାର ୯୮୮ ଟଙ୍କା, ୩ ଲକ୍ଷ ୩୫ ହଜାର ୧୫ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର, ୨୨ ଲକ୍ଷ ୫୪ ହଜାର ୭୧୫ ନଗଦ ଟଙ୍କା, ୭ ଲକ୍ଷ ୪୧ ହଜାର ୯୫୧ ଟଙ୍କାର ଘରୋଇ ସାମଗ୍ରୀ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି। ଏହାସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯୋଗ୍ୟ ଯେ, ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ବୁଧବାର ସକାଳେ ୬ଟି ଦଳ ଏକାସାଙ୍ଗରେ ଶ୍ରୀ ପଟେଲଙ୍କ ବେଲମୁଣ୍ଡାସ୍ଥିତ ପୈତୃକ ଘର, ସରକାରୀ ବାସ ଭବନ, କାଦୋବାହାଲସ୍ଥିତ ଶ୍ୱଶୁରଘର, ସମାସିଙ୍ଘାସ୍ଥିତ ପେଟ୍ରୋଲ ପମ୍ପ, ଦେବାଡିହିସ୍ଥିତ ବାସଭବନ ଓ ବ୍ରଜରାଜନଗର କାର୍ଯ୍ୟାଳୟରେ ଚଢଉ କରିଥିଲା। ସ୍ପେଶାଲ ଜଜ ଭିଜିଲାନ୍ସ ସମ୍ବଲପୁର ସର୍ଚ୍ଚ ୱାରେଣ୍ଟଣ୍ଟ ଆଧାରରେ ଏବଂ ଏସପି ଭିଜିଲାନ୍ସ ସମ୍ବଲପୁର ସମ୍ବଲପୁରଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଦଳ ପକ୍ଷରୁ ଏହି ଚଢଉ କରାଯାଇଥିଲା।