ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଶିକ୍ଷା କ୍ଷେତ୍ରକୁ ନେଇ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏ ସମ୍ପର୍କରେ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ପବ୍ଲିକ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ ଅନ୍ତର୍ଭୂକ୍ତ ହୋଇଥିବାବେଳେ ରେଭେନ୍ସା ପାଇଁ ୨୦୦୫ରେ ସ୍ୱତନ୍ତ୍ର ଆଇନ୍ ଆସିଥିଲା। ସରକାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏବେ ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ଦ୍ୱାରା ପରିଚାଳିତ ହେବ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ ସେଥିରେ ଅନେକ ସଂଶୋଧନ ଅଣାଯାଇଛି। ବିଶ୍ୱବିଦ୍ୟାଳୟରେ ଥିବା ସିନେଟ ଓ ସିଣ୍ଡିକେଟ୍ ମଧ୍ୟରୁ ସିନେଟକୁ ଉଠାଇ ଦିଆଯାଇଛି। ସିଣ୍ଡିକେଟକୁ ବ୍ୟବସ୍ଥିତ କରିବାକୁ ସେଥିରେ କିଛି ପରିବର୍ତ୍ତନ ଅଣାଯାଇଛି । ବିଶ୍ୱବିଦ୍ୟାଳୟର ଭିସିଙ୍କ ଅଧିନରେ ଜଣେ ଏକାଡେମିସିଆନ୍ ରହିବେ। ଏଣିକି ଭିସି ଗୋଟିଏ ବିଶ୍ୱବିଦ୍ୟାଳୟରେ ୩ବର୍ଷ ବଦଳରେ ୪ ବର୍ଷ ରହିବେ। ନିଯୁକ୍ତିପାଇଁ ସର୍ବାଧିକ ବୟସ ସୀମା ୬୭ ରଖାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ବିଶ୍ୱବିଦ୍ୟାଳୟରେ ଦିଆଯିବ ନାହିଁ ।ସବୁ ବିଶ୍ୱବିଦ୍ୟାଳୟ ପାଇଁ ଅଧ୍ୟାପକ ଚୟନ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ କରିବେ। ଅଣଶିକ୍ଷକ ନିଯୁକ୍ତି ଷ୍ଟେଟ ସିଲେକ୍ସନ ବୋର୍ଡ କରିବ। ଯାହାକି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଛି। ପ୍ରତିବର୍ଷ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉଥିଲା। ତାହାକୁ ସର୍ବସାଧାରଣଙ୍କ ଉପଲବ୍ଧ ପାଇଁ ୟୁନିଭରସିଟି ୱେବସାଇଟରେ ତିନିବର୍ଷ ପାଇଁ ରଖାଯିବ।