ଦେବଗଡ଼ ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ, ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ୨ କର୍ମଚାରୀ

ଦେବଗଡ଼,ଏନ୍ଏନ୍ଏସ୍: ଘର ନିର୍ମାଣରେ ଟାଉନ ପ୍ଲାନିଂ ଅନୁମୋଦନ ନିମନ୍ତେ ନୋ ଡିୟୁଜ ସାର୍ଟିଫିକେଟ ପ୍ରଦାନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ଼ ପୌରପରିଷଦର ୨ଜଣ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ଧରିଛି। ଏହି ଘଟଣାର ଅଧିକ ତଦନ୍ତ କରୁଥିବାବେଳେ ଖବର ଲେଖାଯିବା ଯାଏଁ ୨ ଲାଞ୍ଚୁଆ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ୫ନଂ ୱାର୍ଡର ବାସିନ୍ଦା ଶିବଶଙ୍କର ନାୟକ ତାଙ୍କ ଘର ନିର୍ମାଣରେ ଆବଶ୍ୟକ ଟାଉନପ୍ଲାନିଂ ଆପ୍ରୁଭାଲ ନିମନ୍ତେ ନୋ ଡିୟୁଜ ସାର୍ଟିଫିକେଟ ପାଇଁ ଦେବଗଡ଼ ପୌର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ପୌରପରିଷଦର କର୍ମଚାରୀ ରାଜେନ୍ଦ୍ର କୁମାର ନାଏକ ଶିବଶଙ୍କରଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶିବଶଙ୍କର ରାଜେନ୍ଦ୍ରଙ୍କ କଥାରେ ରାଜି ହେବା ସହ ଏନେଇ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦୁର୍ନୀତି ନିବାରଣ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରି ଆଜି ପୂର୍ବାହ୍ଣରେ ପୌର କାର୍ଯ୍ୟାଳୟରେ ଛକି ରହିଥିବାବେଳେ ଶିବଶଙ୍କର ରାଜେନ୍ଦ୍ରଙ୍କୁ ନୋ ଡିୟୁଜ ସାର୍ଟିଫିକେଟ ପାଇଁ ୬ ହଜାର ୪ ଶହ ଟଙ୍କା ପ୍ରଦାନ କରିଥିଲେ।

ରାଜେନ୍ଦ୍ର ଶିବଶଙ୍କରଙ୍କୁ ୪ ହଜାର ୬ ଶହ ୯୩ ଟଙ୍କାର ରସିଦ କାଟି ବାକି ଟଙ୍କା ନିଜେ ଗ୍ରହଣ କରି ପୌରପରିଷଦର ଅନ୍ୟଜଣେ କର୍ମଚାରୀ ଅଜିତ କୁମାର ନାଏକଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ଏହା ପରେ ସେଠାରେ ଛକି ରହିଥିବା ଦୁର୍ନୀତି ନିବାରଣ କର୍ମଚାରୀ ସେଠାରେ ଚଢ଼ଉ କରି ରାଜେନ୍ଦ୍ରଙ୍କ ଠାରୁ ରାସାୟନିକ ପ୍ରଲେପ ବୋଳା ୪ ହଜାର ୪ ଶହ ଟଙ୍କା ଜବତ କରିଛି। ସେହିପରି ଚଢ଼ଉ ଦେଖି ଅଜିତ ନେଇଥିବା ୨ ହଜାର ଟଙ୍କାକୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ପାଣିଟାଙ୍କି ନିକଟରେ ଫିଙ୍ଗି ଦେଇଥିଲେ। ଖୋଜା ଖୋଜି ପରେ ଉକ୍ତ ୨ ହଜାର ଟଙ୍କାକୁ ଦୁର୍ନୀତି ନିବାରଣ ବିଭାଗ ଜବତ କରିବା ସହ ପୌରପରିଷଦର ୨ କର୍ମଚାରୀଙ୍କୁ କାବୁ କରି ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରୁଥିବା ଡିଏସପି ବିରେନ୍ଦ୍ର କୁମାର ନାଏକ ପ୍ରକାଶ କରିଛନ୍ତି।