ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛନ୍ତି ଶାସକ ଦଳର ମନ୍ତ୍ରୀ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛି। ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଭିନ୍ନ ପନ୍ଥା ଆପଣାଉଛି। ଉପନିର୍ବାଚନ ଜିତିବା ପାଇଁ ସରକାରୀ କଳକୁ ଖୋଦ୍ ଶାସକ ଦଳର ମନ୍ତ୍ରୀମାନେ ଅପବ୍ୟବହାର କରୁଛନ୍ତି। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରିଚାଲିଛନ୍ତି।

ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେବା ଓ ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଖୁଲମଖୁଲା ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ଶାସକ ବିଜେଡି। ଏହା ବିରୋଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବାଲେଶ୍ୱର ଉପନିର୍ବାଚନରେ ଭୋଟ ପାଇବା ଲକ୍ଷ୍ୟ ନେଇ ବିଜେଡି ସରକାରୀ କଳ ଲଗାଇ ରାସ୍ତା କାମ, ନଳକୂପ ଖନନ କରିବା ସହ ନେସ୍କୋ ସହାୟତାରେ ନୂଆ ବିଦ୍ୟୁତ୍ ଖୁଣ୍ଟି ପକାଇ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଚଳାଇଛି। ନିର୍ବାଚନ ପ୍ରଚାର ସମୟରେ ଅକ୍ଟୋବର ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଦର ନିର୍ବାଚନ ମଣ୍ଡଳୀ ପାରିଖି ପଞ୍ଚାୟତରେ ବିଦ୍ୟୁତ ସଂଯୋଗୀ କରଣ କରିବା, ଟ୍ରାନ୍ସଫରମର ନୂଆ ଲଗାଇବା ଏବଂ ୩ ଫେଜ୍ ଲାଇନ ଟଣାଯିବା ନେଇ ଭୋଟରଙ୍କୁ ପ୍ରତିଶୃତି ଦେଇଥିଲେ। ମନ୍ତ୍ରୀଙ୍କ ପ୍ରତିଶୃତିର ଠିକ୍ ଦିନକ ପରେ ବିନା ଟେଣ୍ଡରରେ ନେସ୍କୋ ପକ୍ଷରୁ ବିଦ୍ୟୁତ୍ ଖୁଣ୍ଟି ଏକ ଗାଡିରେ ଅଣାଯାଇ ଗତକାଲି ବଡ଼ଡିହ ରାସ୍ତା କଡରେ ଥିବା ପୂର୍ବତନ ସରପଞ୍ଚ ସୁନିଲ ସେଠୀଙ୍କ ଘର ଆଗରେ ରଖାଯାଇଛି।

ଗତ ଦୁଇ ଦିନ ତଳେ ନେସ୍କୋ ଦ୍ୱାରା ନୂଆ ଟ୍ରାନ୍ସଫରମର ଲଗାଇ ଶ୍ରୀରାମପୁର ପଂଚାୟତକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ଶକ୍ତିମନ୍ତ୍ରୀ ଏବଂ ନେସ୍କୋ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ କାରଣ ଦର୍ଶାଅ ନୋଟିସ ପଠାଇବାକୁ ପ୍ରତିନିଧି ଦଳ ଦାବି କରିଛି।
ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରିବା ସମୟରେ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି। ଭୋଟରଙ୍କ ପାଇଁ ସରକାର ଯଦି କିଛି ସୁବିଧା ଯୋଗାଇ ଦେବେନି ତେବେ ସେ ନିଜେ ସବୁ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ ଶାସକ ଦଳର ମନ୍ତ୍ରୀ ଭୋଟରଙ୍କୁ ଅର୍ଥ ବାଣ୍ଟିବା, ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଇବା ପାଇଁ କହି ପ୍ରଲୋଭନ ଦେଖାଇବା ହେଉଛି ଏକ ଅପରାଧିକ ମାମଲା। ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ବି ଶାସକ ଦଳର ନେତାମାନେ ଭୋଟରମାନଙ୍କୁ ଟଙ୍କା ବାଣ୍ଟି ନିର୍ବାଚନକୁ ନିଜ ସପକ୍ଷକୁ ଆଣିଥିଲେ। ଏବେ ପୁଣିଥରେ ବାଲେଶ୍ୱରରେ ଶାସକ ଦଳର ମନ୍ତ୍ରୀ ସମାନ ପନ୍ଥା ଆପଣାଇ ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି। ଅନ୍ୟପଟେ ପ୍ରଚାର ସମୟରେ ଖୋଦ୍ ମନ୍ତ୍ରୀ କୋଭିଡ ଗାଇଡଲାଇନକୁ ବି ଉଲ୍ଲଂଘନ କରି ଚାଲିଛନ୍ତିି ବୋଲି ବିଭିନ୍ନ ଫଟୋ ଓ ଭିଡିଓରେ ଦୃଶ୍ୟମାନ ହୋଇଛି।

ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ବାନେଶ୍ୱରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।