ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ, ଜବତ ହେଲାଣି ୭ କୋଟିରୁ ଉର୍ଦ୍ଧ ସମ୍ପତ୍ତି

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ରାଜ୍ୟ ଦୁର୍ନିତି ନିବାରଣ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଚଢାଉ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ତାଙ୍କ ପାଖରୁ ୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି।

ବ୍ରହ୍ମପୁର ଏକାଦଶ ଲେନ ଏକ୍ସଟେନ୍ସନ୍, ଗଜପତି ନାଗର ସ୍ଥିତ ସେଟିର ଆବାସିକ ୫ ମହଲା କୋଠା, ଏମ୍ସ ନଗର ତୃତୀୟ ଲେନ୍ ଭୁବନେଶ୍ୱରର ଆବାସିକ ୪ ମହଲା କୋଠା, ବ୍ରହ୍ମପୁର ଗଜପତି ନଗର ୮ମ ଲେନ୍‌ର ଆବାସିକ ୪ ମହଲା କୋଠା, ଛତ୍ରପୁରର ଦେଶୀ ଗାଁ ପୁଟାବାଗଡାରେ ଘର ଏବଂ ବ୍ରହ୍ମପୁରରେ ଅମ୍ବାପୁଆର ଅଫିସରେ ଏକକାଳୀନ ଚଢଉ ହୋଇଥିଲା।

ସ୍ପେଶାଲ ଜଜ୍, ଭିଜିଲାନ୍ସ, ବ୍ରହ୍ମପୁର କୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ୍‌ରେ ଉପରେ ରାଜ୍ୟ ଭିଜିଲାନ୍ସର ପାଞ୍ଚଟି ଟିମ୍ ଜଗନ୍ନାଥ ସେଠୀଙ୍କ ୫ଟି ସ୍ଥାନରେ ସର୍ଚ୍ଚ କରିଥିଲେ। ସେଠୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିର ତାଲିକା ବିଷୟରେ ବିସ୍ତୃତ ବିବରଣୀ, ଯାହା ଏପର୍ଯ୍ୟନ୍ତ ଠାବ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରରେ ଏକ ୫ ମହଲା ବିଶିଷ୍ଟ କୋଠା, ଯାହାର ଦାମ୍ ପ୍ରାୟ ୧.୬୮ କୋଟି ଟଙ୍କା, ଭୁବନେଶ୍ୱରର ଏକ ୪ ମହଲା କୋଠା, ଯାହାର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା, ବ୍ରହ୍ମପୁରରେ ପ୍ରାୟ ୪ ମହଲା ବିଶିଷ୍ଟ କୋଠା, ଯାହାର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

ସେହିଭଳି ଛତ୍ରପୁରରେ ଏକ ମହଲା କୋଠା, ଯାହାର ମୂଲ୍ୟ ପ୍ରାୟ ୯.୫୩ ଲକ୍ଷ ଟଙ୍କା। ଏଥି ସହିତ ଭୁବନେଶ୍ୱର, ଜଟଣୀ ଏବଂ ବ୍ରହ୍ମପୁରରେ ୧୨ଟି ପ୍ଲଟ୍, ଯାହାର ମୂଲ୍ୟ ପ୍ରାୟ ୧ କୋଟି ୩୪ ଲକ୍ଷ ହେବ। ସେଠି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବ୍ୟାଙ୍କ ଜମା ୮୫ ଲକ୍ଷରୁ ଅଧିକ ରହିଛି। ଦୁଇଟି ଚାରି ଚକିଆ ଯାନ, ଯାହାର ମୂଲ୍ୟ ମୂଲ୍ୟ ୨୫ ଲକ୍ଷ ଟଙ୍କା। ନଗଦ ୧୯,୮୮,୭୯୦ ଟଙ୍କା। ସେହିଭଳି ୨,୭୭,୧୬୩ ଲକ୍ଷ ଟଙ୍କା ମୂଲ୍ୟର ତିନିଟି ଦୁଇ ଚକିଆ ଗାଡ଼ି ଓ ସୁନା ଅଳଙ୍କାର ରହିଛି। ତେବେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ସମ୍ପତ୍ତିର ମୂଲ୍ୟର ବିସ୍ତୃତ ମୂଲ୍ୟାଙ୍କନ କରିବ ଏବଂ ମୂଲ୍ୟ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।