ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ,ଏନ୍ଏନ୍ଏସ୍: ଜଣେ ଠିକାଦାରଙ୍କ କାର୍ୟ୍ୟକୁ ଅନ୍ଲାଇନ୍ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଂଚ ମାଗିଥିବା ଜଣେ ଡାଟା ଏଂଟ୍ରି ଅପରେଟର ଆଜି ୩୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭଦ୍ରକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ, ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ର ଡାଟା ଏଂଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଠିକାଦାର ଦିଗମ୍ବର ଦାସଙ୍କ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସାଳନ୍ଦୀ ବନ୍ଧ ଠାରୁ ତୁମ୍ଭାପଦୀ ଓ ଦଇସିଂ ଠାରୁ କୁଡିଆମାଳ ପର୍ୟ୍ୟନ୍ତ କଂକ୍ରିଟ୍ ରୋଡ୍ର ୧୦ ଲକ୍ଷ ବିଲ୍ ଟଙ୍କାକୁ ଅନଲାଇନ୍ କରାଇଦେବା ବାବଦ ୪୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏ ନେଇ ଠିକାଦାର ଶ୍ରୀ ଦାସ ଭଦ୍ରକ ଭିଜିଲାନ୍ସର ସହାୟତା ଲୋଡିଥିଲେ ।

ଆଜି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ର କାର୍ୟ୍ୟାଳୟ ଖୋଲିବା ପରେ ପୂର୍ବ ଯୋଜନା ମୁତାବକ ଶ୍ରୀ ଦାସ ଡାଟା ଏଂଟ୍ରି ଅପରେଟର ପ୍ରିୟବ୍ରତଙ୍କୁ ୩୦ ହଜାର ଟଙ୍କା ଲାଂଚ ଦେଉଥିବାବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଟଙ୍କା ସହ ତାଙ୍କୁ ଗିରଫ କରିଥିଲେ । ତେବେ ଆଜି ପ୍ରିୟବତଙ୍କ ଅଫିସ୍ କାର୍ୟ୍ୟାଳୟ ସମେତ ଭଦ୍ରକର ମଉଦା ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଥିଲା ।