ଫରେଷ୍ଟ ରେଂଜ ଅଫିସରେ କର୍ମଚାରୀଙ୍କ ମଦପିଆ ଭିଡିଓ ଭାଇରାଲ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ବାଗଡିହି ରେଂଜ ଫରେଷ୍ଟ ଅଫିସ ଭିତରେ କର୍ମଚାରୀମାନେ ମଦ ପିଇବାସହ ଭୋଜି କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓ ଟି ହୋଲି ଦିନର ହୋଇଥିବାବେଳେ ଏହା ଏବେ ଜିଲ୍ଲାରେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି। ଭିଡିଓଟିରେ ଜଣେ ଅଧିକାରୀ ରାତି ୧୦ଟା ଯାଏଁ ମଦ ପିଇବି କହୁଥିବାବେଳେ ମୁଁ ବି ପିଇବ ବୋଲି ରେଂଜର କହୁଥିବା ଦେଖିବାକୁ ମିଳିଛି। ଏହାସହ ଏହି ମଦ ମାଂସ ଆସରରେ ରେଂଜର ବ୍ରଜମୋହନ ପଟ୍ଟନାୟକ, ଫରେଷ୍ଟର ଆଲୋକ ନାଏକ, ଜଗୁଆଳୀ ମହାଦେବ କିଷାନ ଓ ସନ୍ତୋଷ କିଷାନଙ୍କ ସହ ଅନ୍ୟ କର୍ମଚାରୀ ଓ ଫରେଷ୍ଟ ଗାର୍ଡମାନେ ସାମିଲଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେଲା ପରେ ସାଧରଣରେ ଉଦବେଗ ପ୍ରକାଶ ପାଇଛି। ଏହାସହ ସରକାରୀ ଅଫିସ ଭିତରେ ମଦ ମାଂସର ଆସର ଜମାଉଥିବା ଏହି ସରକାରୀ ଅଧିକାରୀମାନେ କିପରି ସେମାନଙ୍କ ଦାୟିତ୍ୱ ତୁଳାଉଥିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଅଫିସରେ ପବିତ୍ର ହୋଲିପର୍ବ ଦିନର ମଦ ମାଂସ ଖାଇ ନିଶରେ ମସଗୁଲ ରହିଥିବା ଏହି କର୍ମଚାରୀଙ୍କ ପାଖରେ ଜଙ୍ଗଲର ନିରୀହ ହରୀଣ, କୁଟୁରା, ସମ୍ବର, ବରହା, ଠେକୁଆ ଆଦି ଜୀବ ସୁରକ୍ଷିତ ନୁହନ୍ତି ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ମଦ ପିଇଲା ପରେ ନିରୀହ ଜଙ୍ଗଲି ଜୀବକୁ ହତ୍ୟା କରି ସେମାନଙ୍କ ମାଂସ ଖାଇବ ଏମାନଙ୍କ ପାଇଁ କୌଣସି ବଡ କଥା ନୁହେଁ। ତେଣୁ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି।

ଅନ୍ୟପଟେ ଏ ବିଷୟରେ ଝାରସୁଗୁଡା ଡିଏଫଓଙ୍କୁ ପଚାରିବାରୁ କହିଛନ୍ତି ଏହି ଘଟଣାର ତଦାରଖ କରିବା ପାଇଁ ସେ ନିର୍ଦ୍ଦେଶ ଦେଇ ସାରିଛନ୍ତି। ସମସ୍ତ ରିପୋର୍ଟ ହସ୍ତଗତ ହେଲାପରେ ଏହି ଭୋଜିରେ ସାମିଲଥିବା ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।