କରୋନା କଟକଣା: ଭିଡିଓ କଲିଂରେ ହେଲା ବାହାଘର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ଯୋଗୁଁ କନ୍ୟା ଘରକୁ ବରଯାତ୍ରୀ ନେଇ ବାହାଘର ସମ୍ଭବ ହେଲାନାହିଁ। ତେଣୁ ବର ଓ କନ୍ୟା ଭିଡିଓ କଲିଂରେ ବିବାହ ବନ୍ଧନରେ ଅବଦ୍ଧହୋଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ମଙ୍ଗଳବଜାର ନିବାସୀ ବର ମେହେନ୍ଦି ରେଜା(୩୪) ଓ ନାଗପୁରର କନ୍ୟା ତେହେରାନ ବାନୋ(୨୮)  ଜୁଲାଇ ୨୨ ତାରିଖ ଦିନ ପରିବାରବର୍ଗଙ୍କ ସହମତି କ୍ରମେ ଭିଡିଓ କଲିଂରେ ବିବାହ କରିଛନ୍ତି। ଏନେଇ ମେହେନ୍ଦି କହିଛନ୍ତି ତାଙ୍କ ବାହାଘର ମାର୍ଚ୍ଚରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଲକଡାଉନ କାରଣରୁ ଏହାକୁ ସେମାନେ ଘୁଞ୍ଚାଇ ଦେଇଥିଲେ।  ଲକଡାଉନ ହଟିବାପରେ ସେମାନେ ଜୁଲାଇ ୨୨ରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ।  ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ସେଠାକୁ ଯିବା ପାଇଁ ସମ୍ପର୍କୀୟମାନେ ଭୟ କରିଥିଲେ। ଅନ୍ୟପଟେ ମହାରାଷ୍ଟ୍ରରୁ ଝାରସୁଗୁଡା ଆସିଲେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବାର ନିର୍ଦ୍ଦେଶ ରହିଛି। ତେଣୁ ଉଭୟ ବର ଓ କନ୍ୟା ପକ୍ଷ ଏକତ୍ର ହୋଇ ନପାରିବାରୁ ହ୍ୱାଟ୍ସଆପ ଭିଡିଓ କଲରେ ବାହା ହେବାପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଧର୍ମ ଏଥିପାଇଁ ଅନୁମତି ଦେବାସହ ପରିବାରବର୍ଗଙ୍କ ସହମତି ମିଳିବାରୁ ବାହାଘର ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।  ଏନେଇ ତେହେରନ କହିଛନ୍ତି ଭିଡିଓ କଲରେ ବିବାହର ଶପଥ ନେବା କଥା ସେ କେବେ ଭାବି ନଥିଲେ।  ମେହେନ୍ଦିଙ୍କୁ ବାହା ହୋଇ ସେ ବହୁତ ଖୁସି ଅଛନ୍ତି ।