ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ନିତି ଆୟୋଗ ଉପାଧ୍ୟକ୍ଷ

କୋଣାର୍କ,ଏନ୍‌ଏନ୍‌ଏସ୍‌: ଗୁରୁବାର ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସପରିବାର ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ। ତେବେ ଉପାଧ୍ୟକ୍ଷଙ୍କୁ ଭୁଲ୍ ଗାଇଡ କରି ହଟହଟା ହୋଇଛନ୍ତି ସ୍ଥାନୀୟ ମ୍ୟୁଜିୟମ ଅଧିକାରୀ। ମନ୍ଦିର ଇତିହାସ ସମ୍ପର୍କରେ ସହାୟକ ଅଧିକ୍ଷକ ପୁରାତତ୍ୱବିତ ପ୍ରତାପ କୁମାର ନାୟକ ଶ୍ରୀକୁମାରଙ୍କୁ ଗାଇଡ କରିବା ସମୟରେ ଭୂଲ ତଥ୍ୟ ଦେଇଥିଲେ। ଉପାଧ୍ୟକ୍ଷ ରାଜୀବ କୁମାର ଏଠାରେ ସୂର୍ଯ୍ୟ ପୂଜା ସମ୍ପର୍କରେ ପଚାରିବାରୁ ଛଟ ପୂଜା ଭଳି ଏଠାରେ ସୂର୍ଯ୍ୟ ପୂଜା ହୋଇଥାଏ ବୋଲି ପୁରାତତ୍ୱବିତ ଶ୍ରୀନାୟକ କହିଥିଲେ। ଏଭଳି ବିଭ୍ରାନ୍ତିକର ତଥ୍ୟ ପାଇ ଉପାଧ୍ୟକ୍ଷ ବିରକ୍ତି ପ୍ରକାଶ କରିଥିଲେ। ତୁରନ୍ତ ତାଙ୍କ ବଦଳରେ ଅନ୍ୟ ଗାଇଡଙ୍କୁ ଡକାଯାଇଥିଲା।

ଉପସ୍ଥିତ ଥିବା ପର୍ଯ୍ୟଟନ ବିଭାଗ ଅଧିକାରୀ ରାଜ୍ୟସ୍ତରୀୟ ସ୍ୱୀକୃତୀପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶଙ୍କୁ ଗାଇଡ କରିବା ପାଇଁ ଅନୁମତି ଦେଇଥିଲେ। ଏହି ଘଟଣାରେ ପୁରାତତ୍ୱବିତ ପ୍ରତାପ କୁମାର ନାୟକ ଅତ୍ୟନ୍ତ କ୍ଷୁବଧ ହୋଇ କୌଣସି ବିଭାଗୀୟ ଅଧିକାରୀଙ୍କୁ ସୂର୍ଯ୍ୟମନ୍ଦିର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କହିଥିଲେ। ଫଳରେ ଅଧିକାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ସଂଗଠନ ନିନ୍ଦା ପ୍ରକାଶ କରିଛି। ଏହି ଗସ୍ତ ସମୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ,କୋଣାର୍କ ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ,ଏଏସଆଇ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ତିତ ଥିଲେ। ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା।