ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ। ପ୍ରଥମ ଦିନରେ କଟକରେ ଅନୁଷ୍ଠିତ ହେବାକୁଥିବା ସାରଳା ସାହିତ୍ୟ ସଂସଦରେ ୪୦ ତମ ବାର୍ଷିକ ଉତ୍ସବରେ ସେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଗସ୍ତର ଦ୍ୱିତୀୟ ଦିନ(୩ ତାରିଖ)ରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ ନାଇଡୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ।

ସୂଚନା ଅନୁଯାୟୀ ଶ୍ରୀ ନାଇଡୁ ଆଜି ସକାଳ ୯ଟା ୪୫ ମିନିଟରେ ହାଇଦ୍ରାବାଦ ବିମାନ ବନ୍ଦରରୁ ଏଆଇଏଫର ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ବିବିଜେରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ପୂର୍ବାହ୍ଣ ୧୧ଟା ୧୫ରେ ସ୍ଥାନୀୟ ବିଜୁପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୨୦ରେ ସେ ବିମାନ ବନ୍ଦରରୁ ସିଧା ରାଜଭବନ ଅଭିମୁଖେ ବାହାରିବେ। ବିମାନ ବନ୍ଦରରୁ ବାହାରିବା ପାଇଁ ସ୍ୱତନ୍ତ୍ର କାରକେଡ଼ ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୪ଟା ୪୫ରେ କଟକ ଗସ୍ତ କରିବେ। କଟକ ସାରଳା ଭବନରେ ପହଞ୍ଚି ୪୦ ତମ ବାର୍ଷିକ ଉତ୍ସବରେ ଯୋଗଦେବେ ବୋଲି ଜଣାପଡ଼ିଛି।