କାଶୀପୁରରେ ଚିହ୍ନଟ ହେଲା ଭାଇବେରିଆ କଲେରା

ରାୟଗଡ଼ା,ଏନ୍‌ଏନ୍‌ଏସ୍‌: କିଛି ବର୍ଷର ନିରବତା ପରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକକୁ ପୁଣି ଫେରିଛି ହଇଜା। ଝାଡାବାନ୍ତି ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ବ ରୋଗୀ କାଶିପୁର ଗୋଷ୍ଠୀ କେନ୍ଦ୍ର, ଟିକିରି ପ୍ରାଥମିକ ଗୋଷ୍ଠୀ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଦିତ୍ୟ ବିର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଝାଡା ବାନ୍ତି ସଂକ୍ରମଣ କେବଳ କାଶୀପୁର ନୁହେଁ କାଶିପୁର ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଏବଂ କୋରାପୁଟ ପ୍ରତି ବିପଦ ସଂକେତ ଦେଇଛି। କାଶୀପୁର ବ୍ଲକରେ ଗତ ୧୦ ଦିନ ହେବ ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାର ରୂପ ଧାରଣ କରିବାରେ ଲାଗିଛି। ଏଭଳିକି ଏହା ମହାମାରୀ ଆଡକୁ ଗତିକରୁଥିବା ଅନୁମାନ କରାଯାଉଛି।

ଝାଡାବାନ୍ତିର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (ଆରଏମଆରସି)ର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କାଶୀପୁର ଡାଇରିଆ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଗତ ୧୪ ତାରିଖରେ ସଂଗୃହିତ ହୋଇଥିବା ମଳ ଓ ଜଳ ନମୁନା ପରୀକ୍ଷା ପରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବରେ ପରୀକ୍ଷା ପରେ ୩ ଜଣଙ୍କ ଶରୀରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି। ଏହି ନମୁନା ଦୁଡୁକାବାହାଲ ଗ୍ରାମର ୩ ଜଣ ଆକ୍ରାନ୍ତଙ୍କ ମଳ ଏବଂ ସେହି ଗ୍ରାମର ଜଳ ନମୁନାରୁ ଏହା ଚିହ୍ନଟ କରାଯାଇଥିବା ଜଣାପଡିଛି। କାଶୀପୁର ଅଞ୍ଚଳରେ ବ୍ୟାପୀଥିବା ଝାଡାବାନ୍ତିରେ କଲେରା ଜୀବାଣୁ ରହିଥିବା ଆଜି ସ୍ଵଷ୍ଟ କରିଛନ୍ତ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ।

ସେପଟେ ଆଜି ଆର୍‌ଏମ୍‌ଆର୍‌ସି ଟିମ୍‌ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ପାଳ ମଧ୍ୟ ଏହା କଲେରାର ପ୍ରଭାବ ବୋଲି କହିଛନ୍ତି। ଡାକ୍ତର ପାଳଙ୍କ କହିବା କଥା ପୁର୍ବରୁ ମଧ୍ୟ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା। ଆଜି ଏହି ଟିମ୍‌ ଟିକିରି, ଦୁଡୁକା ବାହାଲ, ମାଇକଞ୍ଚ, ଡଙ୍ଗାସିଲ ଓ କାଶୀପୁର ଯାଇ ପ୍ରଥମେ ଜଳ ନମୁନା ସଂଗ୍ରହ କରିଥିଲେ। ବିଭିନ୍ନ ଜଳ ଉତ୍ସରୁ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନେଇଥିଲେ। ଏଥିସହ ଆଜି ମଧ୍ୟ କିଛି ଆକ୍ରାନ୍ତଙ୍କ ମଳ ନମୁନାକୁ ମଧ୍ୟ ସଂଗ୍ରହ କରାଯାଇଛି। ନମୁନା ସଂଗ୍ରହ ପରେ ରାୟଗଡା ଆସି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲାପାଳଙ୍କ ସହିତ ବୈଠକ କରିଥିଲେ ଆର୍‌ଏମ୍‌ଆର୍‌ସି ଟିମ୍‌। ଏଣେ ବିଭିନ୍ନ ମେଡିକାଲରେ ୭୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭, ଉଷାପଡା ଉତ୍କଳ ହସ୍ପିଟାଲରେ ୩୨, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧ ଓ କୋରାପୁଟ ସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସେହିଭଳି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍‌ ଆଜି ପ୍ରାୟ ୩୦ ଜଣଙ୍କ ଚିକିତ୍ସା କରିଛନ୍ତି। ତେବେ ଗୋଟିଏ ପରେ ଗୋଟିଏ ଗାଁକୁ ଏହା ମାଡି ଚାଲିଛି। ତେଣୁ ସ୍ଥିତି ଗମ୍ଭୀର ହେଉଥିବା ଜଣାପଡିବାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କୋରାପୁଟରୁ ଆସି ଚିକିତ୍ସା ଚଳାଇଛନ୍ତି।

ପ୍ରତ୍ୟକ୍ଷ ନହେଲେ ମଧ୍ୟ ପରୋକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ହଇଜା ହୋଇଥିବା ସ୍ୱିକାର କରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ କାଶୀପୁରକୁ ପୁଣି ହଇଜା ଫେରିଲାକି ବୋଲି ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ଯାତ ହୋଇଛି। ଅପରପକ୍ଷରେ ଆଜି ମଧ୍ୟ ସ୍ୱାସ୍ଥ୍ୟବିଭାଗ ଟିମ୍‌ ଓ ଆନ୍ୟାନ୍ୟ ଅଧିକାରୀ ଲୋକଙ୍କୁ ସଚେତନ କରିବା ସହ ହାଲୋଜେନ ଟାବଲେଟ ପାଣିରେ ମିଶାଇ ସେବନ କରିବାକୁ କହୁଥିବା ନଜରକୁ ଆସିଛି। ନିୟମିତ ବ୍ୟବଧାନରେ ଓଆରଏସ ବଣ୍ଟନ ସହଔଷଧ ଗ୍ରହଣ କରିବାକୁ ଲୋକଙ୍କୁ କହିଥିଲେ। କାଶିପୁର ବ୍ଲକର ସୁରୁଗୁଞ୍ଜା, ଟିକିରି, ରୁଆଲେପେଟା, ଖୁରିଗାଁ, ଅଣ୍ଡିରାକଞ୍ଚ, ପୋଡାପାଡି, ଗୋବରିଘାଟି, ଦୁଡୁକାବାହାଲ, ବଡମାରିଭଟା, ଜଲାକୁରା, ରାଉତଘାଟି, କାକୁଡିପଦର ଭଳି ଅନେକ ଗାଁରେ ଆଜି ମଧ୍ୟ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଦେଖିବାର କଥା ଏହା କେବେ ନିୟନ୍ତ୍ରଣକୁ ଆସୁଛି।