ସଇଁତଲା,ଏନ୍ଏନ୍ଏସ୍: ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରୁ ଗତ ୧୯ ତାରିଖ ଦିନ ଦୁଇ ଜଣ ଅଭିଯୁକ୍ତ ହାତକଡ଼ି ସହ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ହେଲେ ସଇଁତଲା ଥାନା କନ୍ଧକେଲଗାଁ ପଞ୍ଚାତୟର ସର୍ଗିପାଲି ଗ୍ରାମର ପିଣ୍ଟୁ ଦାସ ଓ ଫୁଲବାଣୀ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ସନ୍ତୋଷ ବଡ଼ସେଠ। ୨ ଜଣ ଅଭିଯୁକ୍ତ ବେଲଗାଁ ପଞ୍ଚାୟତ ଅର୍ନ୍ତଗତ ବିନ୍ଧନବାହାଲି ମଦ ଭାଟିକୁ ୨୮ ତାରିଖ ରାତିରେ ମଦ ପିଇବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ମ୍ୟାନେଜର ଅନୁଜ କୁମାର ସିଂ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧୁକ ଦେଖାଇ, ମାଡ଼ ମାରିବା ସହ ଦେଢ଼ ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଘଟଣା ଘଟିବାର କିଛି ଦିନପରେ ସଇଁତଲା ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ଦୁଇ ଅଭିଯୁକ୍ତଙ୍କୁ ଧରି ବଡ଼ମାଳ ଫାଣ୍ଡିରେ ଅଧିକ ତଦନ୍ତ ପାଇଁ ରଖାଯାଇଥିଲା।
ଗତ ଅପ୍ରେଲ ୧୮ ତାରିଖ ରାତ୍ର ସମୟରେ ଖାଇ ସାରି ହାତ ଧୋଇବା ବାହାନାରେ ସେମାନେ ହାତକଡ଼ି ସହ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ପୁଲିସ ରାତିସାରା ଦୁଇ ଅଭିଯୁକ୍ତଙ୍କୁ ଖୋଜିଥିଲା, କିନ୍ତୁ ସେମାନଙ୍କ ଖୋଜ ଖବର ପାଇନଥିଲା। କନ୍ଧକେଲଗାଁ ପଞ୍ଚାୟତ ଅର୍ନ୍ତଗତ ସର୍ଗିପାଲି ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ପିଣ୍ଟୁ ଦାସ ଥିବା କୌଣସି ସୂତ୍ରରୁ ଖବରପାଇ ସଇଁତଲା ପୁଲିସ ସଦଳବଳେ ଚଢ଼ଉ କରିଥିଲେ। ସେଠାରୁ ପିଣ୍ଟୁ ଦାସଙ୍କୁ ଗିରଫ କରିବା ସହ ତାକୁ ସହଯୋଗ କରୁଥିବା ପିଙ୍କୁ କୁମ୍ଭାରଙ୍କୁ ଗିରଫ କରିଥିଲା ପୁଲିସ। ପରେ ପିଣ୍ଟୁ ଦାସଙ୍କୁ ତଦନ୍ତ କରିବାରୁ ଲୁଟ ଟଙ୍କାରୁ ୩୦ ହଜାର ଟଙ୍କା ତାର ଭାଉଜ ଜ୍ୟୋତିର୍ମୟୀ ଦାସଙ୍କୁ ଦେଇଥିବା ଜାଣିବାକୁ ପାଇ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା।
ସେହିପରି ବେଲପଡ଼ାସ୍ଥିତ ମଧ୍ୟପୁର ଗ୍ରାମର ହୃଦାନନ୍ଦ ଦାସ ପିଣ୍ଟୁଙ୍କୁ ଆଶ୍ରୟ ଦେଇଥିବାରୁ ତାକୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ୩୦ ହଜାର ଟଙ୍କା, ଗୋଟିଏ କଳା ପଲସର, ଦୁଇଟି ମୋବାଇଲ ଫୋନ ପୁଲିସ ଜବତ କରିଥିବାବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଟିଟିଲାଗଡ଼ ଜେଲକୁ ପଠାଇଦିଆଯାଇଥିବା ଜଣାଯାଏ । ଏହି ଘଟଣାର ଅନ୍ୟ ଅଭିଯୁକ୍ତ ସନ୍ତୋଷ ବଡ଼ସେଠ ବର୍ତ୍ତମାନ ମଧ୍ୟ ଫେରାର ଥିବା ଜଣାପଡ଼ିଛି।