ବିବାହ ଉତ୍ସବରୁ ଫେରୁଥିବାବେଳେ କୂଅକୁ ଖସିଲା ଗାଡି, ୬ ମୃତ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ଛତରପୁରରେ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ କୁହୁଡ଼ି ଯୋଗୁଁ ବାଟବଣା ହୋଇ ଏକ କୂଅକୁ ଖସି ପଡ଼ିଲା ଗାଡ଼ି। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମହାରାଜପୁର ଥାନା ଅନ୍ତର୍ଗତ ଦିବାନଜୀର ପୁର୍ବାଞ୍ଚଳର ଗୋଟିଏ ପରିବାର ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ସଫା ଦେଖାଯାଉ ନଥିଲା। ଫଳରେ ଭୟାନକ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଗାଡିରେ ଥିବା ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାର ଖବର ପାଇ ମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ କୂଅ ଭିତରୁ ବାହାର କରିଛି। ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।