ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବେଦାନ୍ତର ଜନଶୁଣାଣି ଅନୁଷ୍ଠିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମେସର୍ସ ବେଦାନ୍ତ ଲିମିଟେଡ, ଝାରସୁଗୁଡା ଜିଲ୍ଲା ଭୁର୍କାମୁଣ୍ଡା ଗ୍ରାମରେ ୨ ଏଲଟିପିଏ ସ୍ମେଲଟର ପ୍ଲାଣ୍ଟ ଯୋଗକରି ଆଲୁମିନିୟମ ସ୍ମେଲଟର କାରଖାନାର କ୍ଷମତା ବାର୍ଷିକ ୧୬ ଲକ୍ଷ ମେଟ୍ରିକ ଟନରୁ ୧୮ ଲକ୍ଷ ମେଟ୍ରିକ ଟନକୁ ସମ୍ପ୍ରସାରଣ କରିବ। ସିପିପି କ୍ଷମତା ୧୨୧୫ ମେଗାୱାଟ କରିବା ନିମନ୍ତେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପରିବେଶୀୟ ମଞ୍ଜୁରି ପାଇଁ ଆବଶ୍ୟକ ପଡୁଥିବା ସର୍ବସାଧାରଣ ଜନଶୁଣାଣି ଆଜି ଅପରାହ୍ଣରେ କରୁବେଗା ଅନ୍ତର୍ଗତ ଦଲକୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ଜନ ଶୁଣାଣିରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ଉପସ୍ଥିତ ଥିଲେ।

ସେମାନଙ୍କ ସମ୍ମୁଖରେ ସ୍ଥାନୀୟ ଲୋକେ ନିଯୁକ୍ତି ଦାବି କରିବା ସହ କମ୍ପାନୀ ସମ୍ପ୍ରସାରଣକୁ ସମର୍ଥନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, କରୋନା କାରଣରୁ ଏହି ଜନଶୁଣାଣିକୁ ଘୁଞ୍ଚାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଏହାସହ ଓଡିଶା ହାଇକୋର୍ଟରେ ମଧ୍ୟ ପିଟିସନ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ମାନ୍ୟବର କୋର୍ଟ ପ୍ରଥମେ ଜନ ଶୁଣାଣିକୁ ସ୍ଥଗିତ କରିଥିବାବେଳେ ପୁଣି ଏଥିରେ ସାମନ୍ୟ ପରିବର୍ତ୍ତ ଆଣି ଜନ ଶୁଣାଣି ଅନୁଷ୍ଠିତ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଏହି ଜନ ଶୁଣାଣିରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ। କୋର୍ଟର ପରବର୍ତ୍ତୀ ଆଦେଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ।