ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିହାର ନିର୍ବାଚନ ଦାୟିତ୍ୱ

ପାଟନା,ଏଜେନ୍ସି: ନିର୍ବାଚନ ଆୟୋଗ ଚଳିତବର୍ଷ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିବା ବେଳେ ବିଜେପି ପକ୍ଷରୁ ନିର୍ବାଚନ ଇନ୍‌-ଚାର୍ଜ ଘୋଷଣା କରାଯାଇଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଜେପି ପକ୍ଷରୁ ବିହାର ନିର୍ବାଚନ ପାଇଁ ଇନ୍‌-ଚାର୍ଜ ଦାୟିତ୍ୱ ଦିଆଯାଇଛି । ଏ ସମ୍ପର୍କରେ ଦଳ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ।

ବିଜେପି ନିର୍ବାଚନ ଇନ୍‌-ଚାର୍ଜ ଭାବେ ନିଯୁକ୍ତ ହେବା ପୂର୍ବରୁ ମଙ୍ଗଳବାର ଫଡନାବିସ୍ ବିହାର ରାମଗଢ଼ ସ୍ଥିତ ମା’ ଛିନ୍ନମସ୍ତିକେଙ୍କ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥିଲେ । ବିହାର ନିର୍ବାଚନରେ ଏନ୍‌ଡିଏ ବିଜୟୀ ହେବ ବୋଲି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ଅବସରରେ ସେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ତିନୋଟି ପର୍ଯ୍ୟାୟରେ ମତଦାନ ହେଉଥିବା ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର ୨୮ରେ ହେବାକୁ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଯଥାକ୍ରମେ ନଭେମ୍ବର ୩ ଏବଂ ନଭେମ୍ବର ୧୦ରେ ହେବ ।