ସେପ୍ଟେମ୍ବରରେ ଛୋଟ ପିଲାଙ୍କ ଟିକା ଆସିବ: ଡ. ଗୁଲେରିଆ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗୋଟେ ପଟେ କରୋନାର ଦ୍ୱିତୀୟ ଲହରି ପ୍ରକୋପ କମୁଥିବା ବେଳେ ଅନ୍ୟପଟେ କରୋନାର ତୃତୀୟ ଲହରିକୁ ନେଇ ପ୍ରସ୍ତୁତି ଜାରି ରହିଛି। ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ ଦେଶରେ ବହୁତ ଶୀଘ୍ର କରୋନାର ତୃତୀୟ ଲହର ଆସିବ। ସେହିପରି ଏହି ତୃତୀୟ ଲହରି ଛୋଟ ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଇଛି। ଏହି ମଧ୍ୟରେ ଛୋଟ ପିଲାଙ୍କ ଟିକାକରଣକୁ ନେଇ ଆଜି ଏକ ସୂଚନା ଦିଆଯାଇଛି।

ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି କି, ଭାରତ ବାୟୋଟେକର କୋଭାକ୍ସିନ ଟିିକାକୁ ସେପ୍ଟେମ୍ବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ମଞ୍ଜୁରି ମିଳିପାରେ। ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସେପ୍ଟେମ୍ବର ସୁଦ୍ଧା ତଥ୍ୟ ଉପଲବ୍ଧ ହୋଇଯିବ। ସେହିପରି ଶ୍ରୀ ଗୁଲେରିଆ କହିଛନ୍ତି କି ଫାଇଜର-ବାୟୋଏନଟେକକୁ ଯଦି ଭାରତରେ ମଞ୍ଜୁରି ମିଳିବ, ତାହା ମଧ୍ୟ ପିଲାମାନଙ୍କ ପାଇଁ ଟିକାର ଆଉ ଏକ ବିକଳ୍ପ ହେବ।

ସୂଚନା ଅନୁସାରେ ପାଟନା ଏମ୍ସ ଓ ଦିଲ୍ଲୀ ଏମ୍ସରେ ୧୨ ବର୍ଷ ପିଲାଙ୍କ ଠାରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ଡିସିଜିଆଇ ମଧ୍ୟ ମେ’୧୨ ତାରିଖରେ ଭାରତ ବାୟୋଟେକକୁ ଛୋଟ ପିଲାଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରି ଦେଇଛି।