ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କରୋନା ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ନିର୍ବାଚନ ବୁଥ ଢାଞ୍ଚାରେ ଏହି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସମ୍ଭାବ୍ୟ ପାର୍ଶ୍ଵପତ୍ରିକ୍ରିୟା ପାଇଁ ଟିକା ନେଉଥିବା ବ୍ୟକ୍ତିକୁ ଅଧଘଣ୍ଟା ପର୍ୟ୍ୟନ୍ତ ଡାକ୍ତରଙ୍କ ନିରୀକ୍ଷଣରେ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଉଥିବାବେଳେ ଏକ ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ମିଳିଥିବା ୭ ହଜାର ଟିକାକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଦିଆଯାଉଛି। ଟିକାକରଣ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉମରକୋଟ ଉପଖଣ୍ଡୀୟ ମେଡିକାଲରେ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଗତକାଲି ଟୀକାକରଣ ପାଇଁ ନନ୍ଦାହାଣ୍ଡି, ପାପଡାହାଣ୍ଡି ଓ ଉମରକୋଟ କେନ୍ଦ୍ରକୁ ଟିକା ପ୍ରେରଣ କରାଯାଇଥିଲା। ଆଜି ସମସ୍ତ ୪ଟି ଟିକାକରଣ କେନ୍ଦ୍ରରେ ୧୦୦ ଜଣ ଲେଖାଏଁଙ୍କୁ ଟିକା ଲଗାଯିବ।
ଜିଲ୍ଲାରେ ପ୍ରଥମ ବ୍ୟକ୍ତି ଭାବେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟ କରୁଥିବା ସୁରକ୍ଷାକର୍ମୀ ଅଭି ଭତରା ଟିକା ନେଇଥିଲେ। ଦ୍ୱିତୀୟରେ ଚିକିତ୍ସାଳୟରେ ଫାର୍ମାସିଷ୍ଟ ଭାବେ କାର୍ୟ୍ୟ କରୁଥିବା ଜଗନ୍ନାଥ ରଥଙ୍କୁ ଟୀକା ଦିଆଯାଇଛି। ଟିକା ନେବା ପରେ ସେମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଟିକାକରଣ ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର ଉପସ୍ଥିତ ରହିଥିଲେ । ପର୍ୟ୍ୟାୟକ୍ରମେ ଟିକାକରଣ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।