ଟିକାକରଣ କେନ୍ଦ୍ର ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଝଣ୍ଡାଛକସ୍ଥିତ ଗୁଜୁରାତି ପ୍ରାଥମିକ ବିଦ୍ୟାଳୟରେ ଆଜାଦ ହିନ୍ଦ କ୍ଲବ ଓ ସରବାହାଲ ଏମଇ ସ୍କୁଲରେ ‘ଏଇ ତ ଜୀବନ’ ତରଫରୁ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଟିକାକରଣ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଏହି ଅବସରରେ ସମସ୍ତଙ୍କୁ ଟିକା ଗ୍ରହଣ କରିବା ପାଇଁ ଶ୍ରୀ ଦାସ ପରାମର୍ଶ ଦେବାସହ ରାଜ୍ୟ କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି। ତେବେ କରୋନାକୁ ପ୍ରତିହତ କରିବା ତଥା ତୃତୀୟ ଲହରକୁ ରାଜ୍ୟରେ ପଶିବାକୁ ନଦେବା ପାଇଁ ସମସ୍ତେ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନକୁ ଅବଲମ୍ବନ କରି ମାସ୍କ ପରିଧାନ, ସାମଜିକ ଦୂରତା ରକ୍ଷା ଓ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି। ଆଜି ଉଦଘାଟିତ ହୋଇଥିବା ଟିକାକେନ୍ଦ୍ରରେ ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ୨୦୦ ଲେଖାଏଁ ଟିକା ବ୍ୟବସ୍ଥା କରାଯାଇଥିଲା। ଏଥିରେ ଆଜାଦ ହିନ୍ଦ କ୍ଲବର କର୍ମକର୍ତ୍ତା ମହତାବ ଖାନ, ସୋଏବ ରଜବି, ଏମ ଡି ୱାସିମ, ଏମ ଡି ଅଲିମ, ରାକେଶ ଶ୍ରୀବାସଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ।