ଅଲମ୍ପିକ ପଦକ ବିଜେତାଙ୍କୁୁ ସମ୍ମାନିତ କଲା ଉତ୍ତପ୍ରଦେଶ ସରକାର

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ପଦକ ଜିତିଥିବା ଖେଳାଳିଙ୍କୁ ଆଜି ଉତ୍ତରପ୍ରଦେଶ ସରକାର ସମ୍ମାନିତ କରିଛନ୍ତି। ଲଖନଉସ୍ଥିତ ଅଟଳ ବିହାରୀ ବାଜପେୟୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖେଳାଳିଙ୍କୁ ସମ୍ମାନିତ କରିଥିବା ଜଣାପଡ଼ିଛି।

ଟୋକିଓ ଅଲମ୍ପିକର ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ଏବଂ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଓ ରବି ଦହିୟାଙ୍କୁ ଦେଢ଼ କୋଟି ଟଙ୍କା ଦିଆଯାଇଛି। ସେହିପରି କାଂସ୍ୟ ପଦକ ବିଜେତା ପିଭି ସିନ୍ଧୁ, ବଜରଙ୍ଗ ପୁନିଆ ଓ ଲବଲୀନାଙ୍କ ସମେତ ପୁରୁଷ ହକି ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯାଇଛି। କେବଳ ଏତିକି ନୁହେଁ, ଚତୁର୍ଥ ସ୍ଥାନରେ ରହିଥିବା ମହିଳା ହକି ଟିମ୍, ଦୀପକ ପୁନିଆ ଓ ଆଦିତି ଅଶୋକଙ୍କୁ ମଧ୍ୟ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ଏଥିସହିତ ଉତ୍ତରପ୍ରଦେଶର ୧୦ଜଣ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।