ଦ୍ୱିତୀୟ ପର୍ଯ୍ୟାୟରେ ୩୫୮ ଜଣଙ୍କୁ ମିଳିଲା ‘ଆଶୀର୍ବାଦ’ ସହାୟତା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ‘ଆଶୀର୍ବାଦ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ପିଲାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ୩୫୮ଜଣ ପିଲାଙ୍କୁ ମୋଟ ୫ ଲକ୍ଷ ୪୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ମାସରେ ୧୦୩ଜଣଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ମାସରେ ମୋଟ ୩୫୮ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଥିବା ମୋଟ ୩୫୮ଜଣଙ୍କ ମଧ୍ୟରୁ ୬ ଜଣ ପିତୃମାତୃହୀନ ପୁଅ ଓ ୩ ଜଣ ଝିଅକୁ ୨୫୦୦ ଟଙ୍କା ଲେଖାଏଁ ଓ ରୋଜଗାରକ୍ଷମ ପିତାଙ୍କୁ ହରେଇଥିବା ମୋଟ ୧୬୫ ପୁଅ ଓ ୧୮୪ ଝିଅଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯାଇଛି। ଏହି ପର୍ଯ୍ୟାୟରେ ବାରକୋଟ ବ୍ଲକର ୧୪୩, ରିଆମାଳର ୯୭, ତିଳେଇବଣୀର ୯୬ ଓ ପୌରାଞ୍ଚଳର ମୋଟ ୨୨ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସହାୟତା ୧୮ ବର୍ଷ ହେବା ପର୍ଯ୍ୟନ୍ତ ପିଲାମାନେ ପାଇପାରିବେ।