ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ପ୍ରଥମଥର ଉତ୍କଳ ଦିବସ ପାଳନ ଓ ବନ୍ଧୁ ମିଳନ ଉତ୍ସବ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନବରଙ୍ଗପୁର ପକ୍ଷରୁ ପ୍ରଥମଥର ଉତ୍କଳ ଦିବସ ପାଳନ ଓ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଭାଷା ଭିତ୍ତିକ ପ୍ରଦେଶ ଗଠନର ୮୮ତମ ଜୟନ୍ତୀ ଉପଲକ୍ଷ କେକ କଟାଯାଇଥିଲା । ଏଥିରେ ମା’ ଭଣ୍ଡାର ଘରଣୀଙ୍କ ଉପରେ ଏକ ଚମତ୍କାର ସଙ୍ଗୀତ ପରିବେଷଣ କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଶେଷ କରି ଅନୁସୂଚିତ ଜନଜାତିଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ଯୋଜନା ପ୍ରଦର୍ଶିତ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଉତ୍କଳ ସମ୍ମିଳନୀ ଓ ମୋ ପ୍ରିୟ ଓଡ଼ିଶା ଟେଲିଫିଲ୍ମ ପ୍ରଦର୍ଶିତ କରାଯାଇଛି । ଓଡ଼ିଶା ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଲୋମଟାଙ୍କୁରା କାହାଣୀମାନ ପ୍ରଦର୍ଶିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗଦେଇ ରାଜ୍ୟ ସରକାର ଜନଜାତିଙ୍କ ପାଇଁ ପ୍ରଣୟନ କରିଥିବା ପ୍ରତ୍ୟେକ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି କହିବା ସହ ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ । ଜନଜାତିଙ୍କର ଆର୍ôଥକ ବିକାଶ ସହିତ ସେମାନଙ୍କ କଳା ଓ ସଂସ୍କୃତି ଆଦି ସୁରକ୍ଷିତ ରହିବ ଏବଂ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଶ୍ରୀ ମାଝୀ କହିଛନ୍ତି । ପରେ ଉପକାରାଗାର ଅନ୍ତେବାସୀଙ୍କୁ ସିଲେଇ ମେସିନ, ହ୍ୱାଇଟ ବୋର୍ଡ଼, ମାର୍କର ପେନ୍‌, ଡଷ୍ଟର, ସିଲଟ ଓ ଖଡ଼ି ଆଦି ଶ୍ରୀ ମାଝୀ ବଣ୍ଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡି ନେତା ନାରାୟଣ ପାତ୍ର, ତାପସ ତ୍ରିପାଠୀ, ସରୋଜ ପାତ୍ର, ପ୍ରମୋଦ ରଥ, ରବି ପଟ୍ଟନାୟକ, କାମିନୀ ପାଢ଼ୀ, ରଞ୍ଜିତା ପଣ୍ଡା ଓ ସୁମିତ ପୂଜାରୀଙ୍କ ସମେତ ବହୁ କାଉନସିଲର, ଜିଲ୍ଲାପରିଷଦ ସଭ୍ୟ, ବିଭିନ୍ନ ଦଳର ନେତା ଓ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଏ ଏଆଇଟିଡିଏ ରାଜୀବ ଲୋଚନ ସାହୁ, ଜେଲ ଅଧିକ୍ଷକ ଦେବେନ୍ଦ୍ର ନାଥ ତାତି ଓ ବହୁ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।