ୱାଶିଂଟନ,ଏଜେନ୍ସି: ଚଳିତବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ଆଫଗାନିସ୍ତାନରେ ମୁତୟନ ହୋଇଥିବା ନିଜର ସୈନ୍ୟଙ୍କୁ ଆମେରିକା ପ୍ରତ୍ୟାହାର କରିବ ବୋଲି ହ୍ୱାଇଟ ହାଉସ ସୂତ୍ରରୁ ଜଣାପଡିଛି। ଉକ୍ତ ଦିନ ଆମେରିକା ଉପରେ ଅଲକାଏଦା ଆକ୍ରମଣର ୨୦ ବର୍ଷ ପୂରିବ। ଏହି ଅବସରରେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ନିଷ୍ପତ୍ତି ନେଇଥିବା କୁହାଯାଇଛି। ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଆମେରିକା ସେଠାରେ ସୈନ୍ୟ ମୁତୟନ କରିଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଲିବାନ ସଂଗଠନ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ଚୁକ୍ତି ଅନୁଯାୟୀ ଚଳିତବର୍ଷ ମେ’ ୧ ସୁଦ୍ଧା ଆଫଗାନିସ୍ଥାନରୁ ଆମେରିକା ତାହାର ସେନା ପ୍ରତ୍ୟାହାର କରିନେବା କଥା। ତେବେ ଏହି ସମୟସୀମାକୁ ପାଳନ କରିବା ଅସମ୍ଭବ ହୋଇଥିବାରୁ ଏହାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସେଠାରେ ପ୍ରାୟ ୩୫୦୦ ଆମେରିକୀୟ ସୈନ୍ୟ ଡେରା ପକାଇଛନ୍ତି। ସେପ୍ଟେମ୍ବର ୧୧ରେ ଏହାର ୯୫ ପ୍ରତିଶତ ସୈନ୍ୟ ସ୍ୱଦେଶ ଫେରିଆସିବେ। ଅବଶିଷ୍ଟ ୫ ପ୍ରତିଶତ ସୈନ୍ୟ କାବୁଲରେ ଥିବା ଆମେରିକୀୟ ଦୂତାବାସରେ କାର୍ଯ୍ୟରତ କୂଟନୀତିଜ୍ଞଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି। ଅପରପକ୍ଷରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଆମେରିକୀୟ କୂଟନୀତିଜ୍ଞ କିମ୍ବା ଆଫଗାନିସ୍ତାନରେ ମୁତୟନ ଆନ୍ତର୍ଜାତିକ ସୈନ୍ୟଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ନକରିବାକୁ ତାଲିବାନକୁ କଡା ଚେତାବନୀ ଦିଆଯାଇଛି।