ପୁଣି ବିଜେପିକୁ ଟାର୍ଗେଟ କଲେ ମମତା, ୭୦ ଆସନ ମିଳିବା ମଧ୍ୟ କଷ୍ଟକର

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନ ନିମନ୍ତେ ମାର୍ଚ୍ଚ ୨୭ରୁ ଆଠ ପର୍ଯ୍ୟାୟ ବିଶିଷ୍ଟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଇତିମଧ୍ୟରେ ୧୩୫ଟି ଆସନ ନିମନ୍ତେ ଚାରିଟି ପର୍ଯ୍ୟାୟରେ ଭୋଟଗ୍ରହଣ ଶେଷ ହୋଇସାରିଛି। କିଛି ଦିନ ପୂର୍ବେ ଏଠାକୁ ପ୍ରଚାର ଉଦ୍ଦେଶ୍ୟରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଥିଲେ ଯେ ୧୩୫ଟି ଆସନରେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ବିଜେପି ଅନାୟାସରେ ୧୦୦ ଆସନ ହାତେଇବ। କ୍ରିକେଟ ଭାଷାରେ ଏହାକୁ ବ୍ୟାଖ୍ୟା କରିବାକୁ ଯାଇ ମୋଦୀ କହିଥିଲେ ଯେ ଚାରିଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଭୋଟରମାନେ ଏତେ ସଂଖ୍ୟକ ଚୌକା ମାରିଛନ୍ତି ଯେ ବିଜେପି ଶତକ ହାସଲ କରିସାରିଲାଣି। ଅର୍ଥାତ ବିଜେପି ଖାତାକୁ ୧୦୦ ଆସନ ଆସିସାରିଲାଣି। ମୋଦୀଙ୍କ ଏଭଳି ମନ୍ତବ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମମତା କହିଛନ୍ତି ଯେ ୧୦୦ ଆସନ ତ ବହୁ ଦୂରର କଥା, ଚଳିତ ନିର୍ବାଚନରେ ୨୯୪ ମଧ୍ୟରୁ ବିଜେପି ୭୦ ଆସନରେ ଜିତିବା ମଧ୍ୟ କଷ୍ଟକର ହୋଇପଡିବ। ଜଳପାଇଗୁଡିରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ମମତା ଆହୁରି କହିଛନ୍ତି ଯେ ଗୋଟିଏ ପ୍ରସଙ୍ଗକୁ ନେଇ ବିଜେପି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କଥା କହୁଛି। ଏହା ଭୋଟରଙ୍କୁ ବିଭ୍ରାନ୍ତ କରାଇବା ସହ ବିଜେପିର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ କରୁଥିବା ମମତା କହିଛନ୍ତି।