ଟ୍ୱିନ ସିଟିରେ ହେବ ଅର୍ବାନ ଫରେଷ୍ଟ ପାର୍କ

  • ଭୁବନେଶ୍ୱର: ଖୁବଶୀଘ୍ର ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଛିଡ଼ାହେବ ଅର୍ବାନ୍ ଫରେଷ୍ଟ ପାର୍କ। ପ୍ରାଥମିକ ପର୍ଯ୍ୟାୟରେ ସହରର ବିଭିନ୍ନ ସ୍ଥାନରେ ୭ଟି ସହାରାଞ୍ଚଳ ଜଙ୍ଗଲ ସୃଷ୍ଟି କରାଯିବ। ଯାହାକି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବ। ଏଠାରେ ସହରବାସୀଙ୍କ ପାଇଁ ପ୍ରାତଃଭ୍ରମଣ, ମନୋରଞ୍ଜନ, ବାହାଘର ଭଳି ସୁବିଧା ଉପଲବ୍ଧ ହେବ। ସହରବାସୀ ନିଜ ପ୍ରିୟଜନଙ୍କ ସହ ସେଠାରେ ଯାଇ ସମୟ ଅତିବାହିତ କରିପାରିବେ। ସହରବାସୀଙ୍କ ଭିତରେ ଜଙ୍ଗଲ ପ୍ରତି ଭଲପାଇବା ସୃଷ୍ଟି କରିବା ସହ ଏହାର ଆବଶ୍ୟକତାକୁ ଉପଲବ୍ଧି କରାଇବା ଏହାର ମୂଳଲକ୍ଷ୍ୟ।
  • ରାଜଧାନୀରେ ରହିଥିବା ଏକାମ୍ର କାନନ, ଜୟଦେବ ବାଟିକାକୁ ଜଙ୍ଗଲ ବିଭାଗ ଭଲଭାବେ ପରିଚାଳନା କରୁଥିବା ବେଳେଆଗାମୀ ଦିନରେ ନୂଆକରି ହେବାକୁ ଥିବା ସହରାଞ୍ଚଳ ଜଙ୍ଗଳକୁ ବି ଦେଖାରଖା କରିବ ଓ ଓଏଫଡିସି ଦ୍ୱାରା ଏସବୁ ପରିଚାଳତ ହେବ। ଯେଉଁଥିରେ ପର୍ଯ୍ୟଟକଙ୍କ ଆୟକୁ ସହରାଞ୍ଚଳ ଜଙ୍ଗଲର ପରିଚାଳନା, ସଂରକ୍ଷଣ ଓ ଭିତ୍ତିଭୂମି ବିକାଶ ବାବଦରେ ଖର୍ଚ୍ଚ କରାଯିବ। ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଏନେଇ ଭିତ୍ତିଭୂମିର ବିକାଶ କରିବେ। ଯେପରିକି ସହରାଞ୍ଚଳ ଜଙ୍ଗଲ ଭିତରେ ପର୍ଯ୍ୟଟକଙ୍କ ପାଇଁ ଚଲାପଥ, ପିଇବା ପାଣି ସୁବିଧା, ବିଦ୍ୟୁତ୍ ସଂଯୋଗ, ବଣଭୋଜି ପିଣ୍ଡି ଆଦି ତିଆରି କରାଯିବ।
  • ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଶ୍ରୀ ମହାପାତ୍ର ସହରାଞ୍ଚଳରେ ଅଧିକ ସଂଖ୍ୟାରେ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦେଇ ସହରାଞ୍ଚଳ ବନ ପାର୍କ ପ୍ରସଙ୍ଗ ଉପସ୍ଥାପନା କରିଥିଲେ। ଶ୍ରୀ ମହାପାତ୍ର ଆହୁରି କହିଥିଲେ ଟ୍ୱିନ୍ ସିଟିର ବିଭିନ୍ନ ସ୍ଥାନରେ ଛୋଟଛୋଟ ସହରାଞ୍ଚଳ ଜଙ୍ଗଲ ସୃଷ୍ଟି କରିବାକୁ ହେଲେ ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ (ଓଏଫଡିସି), ସିଟି ଫରେଷ୍ଟ ଡିଭିଜନ୍, କଟକ ମହାନଗର ନିଗମ, ଭୁବନେଶ୍ୱର ମହାନଗର ନିଗମ ଏକାଠି ହୋଇ ସହାରଞ୍ଚଳ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମ କମିସନର ସଞ୍ଜୟ ସିଂହ କହିଛନ୍ତି ମୋ ବସ୍ ରୁଟକୁ ନୂଆକରି ହେବାକୁ ଥିବା ସହରାଞ୍ଚଳ ଜଙ୍ଗଲ ପାର୍କ ଯାଏଁ ବୃଦ୍ଧି କରାଯିବ। ଫଳରେ ପର୍ଯ୍ୟଟକ ସହଜରେ ଏହାର ସୁବିଧା ପାଇପାରିବେ। ଭୁବନେଶ୍ୱର ମହାନଗର ନିଗମ ୱେବସାଇଟ୍ ଦ୍ୱାରା ଏହାର ଟିକେଟ ବୁକିଂ କରାଯିବ। ସହରାଞ୍ଚଳ ପାର୍କ ବାବଦରେ ଜନସଚେତନତା ସୃଷ୍ଟି କରିବା ସହ ଏବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ବିଏମସି ୱେବସାଇଟ୍, ହୋର୍ଡିଂ ଏବଂ ଇଲେକ୍ଟ୍ରୋନିକ୍ ବାର୍ତ୍ତାର ଉପଯୋଗ କରାଯିବ। ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ, ଭୁବନେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ୬ଟି ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି। ଏଥିରେ ଏକାମ୍ର କାନନ, ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର, ସ୍ମୃତିବନ, ଏକାମ୍ରବନ, ଜୟଦେବ ବାଟିକା ଅନ୍ତର୍ଭୁକ୍ତ। ଖୁବଶୀଘ୍ର ସହରରେ ନଗର ବନ ନାମରେ ଆଉ ଏକ ନୂଆ ଜଙ୍ଗଲ ସୃଷ୍ଟି କରାଯାଉଛି। ଯାହାକି ସହରାଞ୍ଚଳ ବନ ପାର୍କ ପାଇଁ ସହାୟକ ହେବ। ସମାନଭାବେ କଟକ ସହରରେ ନନ୍ଦନ ବନ ଓ ଆରୋଗ୍ୟ ବନ ନାମରେ ଦୁଇଟି ସହରାଞ୍ଚଳ ଜଙ୍ଗଲ ସୃଷ୍ଟି କରାଯାଉଛି। ଏସବୁ ଜଙ୍ଗଲରେ ଆବଶ୍ୟକ ଭିତ୍ତିଭୂମି, ପାର୍କିଂ, ମନୋରଞ୍ଜନ ଆଦିର ସୁବିଧା କରାଯାଇ ସହରାଞ୍ଚଳ ବନ ପାର୍କ ଭାବେ ବିକଶିତ କରାଯାଇପାରିବ।
  • ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର ଯୋଗଦେଇ ବିଭିନ୍ନ ସ୍ଥାନରେ ବନ ବିଭାଗ ଦ୍ୱାରା କରାଯାଉଥିବା ବନୀକରଣ ବାବଦରେ ସୂଚନା ଦେଇଥିଲେ। ସେ କହିଥିଲେ ବେଗାଛିଆ, କିଷନନଗର, ଓଡ଼ପଡ଼ା, ଆରିଲୋ, ବ୍ରଜବିହାରୀପୁର, ଭୂଷଣିପୀଠ, ବଡ଼ଗାଓଁ, ଓଟାଡ଼ା, ମହାନଦୀ, କାଠଯୋଡ଼ି, ସିଡିଏ ସେକ୍ଟର ୮, ନକ୍ଷତ୍ରବନ, କରଡ଼କଣ୍ଟା, ମାଧୁପୁର, ବାଲିଆପଡ଼ା, ଜଗତପୁର ଓଟଡ଼ା, ଓରିଲେ ଓ ଉତ୍ତରମପୁର ଆଦି ଅଞ୍ଚଳରେ ବନୀକରଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବା ପରେ ଏସବୁ ସ୍ଥାନର କ୍ଷେତ୍ର ପରିଦର୍ଶନ କରାଯିବ। ପରବର୍ତ୍ତୀ ସମୟରେ ସହରାଞ୍ଚଳ ବନ ପାର୍କ ପାଇଁ ସ୍ଥାନ ଚୟନ କରାଯିବ।
  • ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିବାଥନମ୍, ରାଜସ୍ୱ ଓ ଜଙ୍ଗଲ ପରିଚାଳନା ବିଭାଗ ପ୍ରମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାର, ଭୁବନେଶ୍ୱର ମହାନଗର ନିଗମ କମିସନର ସଞ୍ଜୟ କୁମାର ସିଂ, ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ, ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।