ମ୍ୟାଁନମାରରେ ସେନାର କ୍ଷମତା ଦଖଲ, ଅଙ୍ଗ୍ ସାନ୍ ସୁକି ଗିରଫ

ନଏପିଥ,ଏଜେନ୍ସି: ମ୍ୟାଁନମାରରେ ସେନା କ୍ଷମତା ଦଖଲ କରିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ୍ ସାନ୍ ସୁକିଙ୍କ ସମେତ ଶାସକ ଦଳ ମ୍ୟାଁନମାର ନ୍ୟାସନାଲ୍ ଲିଗ୍ ଫର ଡେମୋକ୍ରାସି (ଏନଏଲଡି)ର ବହୁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଛି। ଏନଏଲଡିର ମୁଖପାତ୍ର ମ୍ୟୋ ନ୍ୟୁଅଣ୍ଟ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ୱିନମିଣ୍ଟ ଓ ଅନ୍ୟ ନେତାମାନଙ୍କୁ ଧରି ନିଆଯାଇ ଅଟକ ରଖାଯାଇଛି। ସୋମବାର ନବ ନିର୍ବାଚନ ପାର୍ଲାମେଣ୍ଟର ପ୍ରଥମ ବୈଠକ ପୂର୍ବରୁ ସେନା ଏଭଳି ପଦକ୍ଷେପ ନେଇଛି। ଉଲ୍ଲେଖଯୋଗ୍ୟ ସୋମବାର ନବଗଠିତ ପାର୍ଲାମେଣ୍ଟର ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଥିଲା। ମ୍ୟାଁନମାର ସରକାରୀ ଟିଭି ଚ୍ୟାନେଲ୍ ଏମଆର୍ ଟିଭି ପକ୍ଷରୁ ଫେସବୁକ୍ରେ ଘୋଷଣା କରାଯାଇଛି ଯେ, ଟିଭି ଓ ରେଡିଓରେ ଏ ସମ୍ପର୍କରେ ଘୋଷଣା କରାଯାଇ ପାରୁନାହିଁ। ମୋବାଇଲ୍ ଫୋନ୍ ସେବା ମଧ୍ୟ ବନ୍ଦ ରହିଛି। ତେବେ ସରକାର କିମ୍ବା ସେନା ପକ୍ଷରୁ ଏ ସମ୍ପର୍କରେ କିଛି ଘୋଷଣା କରାଯାଇନାହିଁ।