ମୋଟୁ ଦେଇ ଘରମୁହାଁ ହୋଇଛନ୍ତି ୧୨,୯୭୮ ପ୍ରବାସୀ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଓ ଲକଡାଉନକୁ ଦୃଷ୍ଟିରେ ରଖି ପ୍ରବାସୀ ଘରମୁହାଁ ହେଉଛନ୍ତି। ଗତ ୪ ତାରିଖ ସୁଦ୍ଧା ଜିଲ୍ଲାର ସୀମାନ୍ତ ମୋଟୁ ଚେକ ପଏଣ୍ଟ ଦେଇ ୧୨,୯୭୮ଜଣ ପ୍ରବାସୀ ମାଲକାନଗିରିରେ ପ୍ରବେଶ କରିଛନ୍ତି। ଏଥିରେ ମାଲକାନଗିରି ଜିଲ୍ଲାର ୬,୪୭୮ଜଣ ପ୍ରବାସୀ ଥିବାବେଳେ ୫,୬୫୭ଜଣ ଅନ୍ୟ ଜିଲ୍ଲାର ଓ ୮୪୩ଜଣ ଅନ୍ୟ ରାଜ୍ୟର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ସୀମାନ୍ତ ଯାଞ୍ଚ ପଏଣ୍ଟରେ ପ୍ରବାସୀଙ୍କ ପଞ୍ଜିକରଣ ଓ ଥର୍ମାଲ ସ୍କ୍ରିନିଂ କରାଯାଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଲକଡାଉନର ଦ୍ୱିତୀୟ ଦିବସରେ ଜିଲ୍ଲାର ସମସ୍ତ ସହରର ଛକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଯାଞ୍ଚ କରାଯାଉଛି। ତେବେ ଲୋକେ ମଧ୍ୟ ଲକଡାଉନର ନିୟମ ମାନି କେବଳ ଆବଶ୍ୟକ ପଡ଼ିଲେ ଘରୁ ବାହାରୁଥିବା ଦେଖାଯାଇଛି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମେତ ଜିଲ୍ଲାର ମୋଟ ୩୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ଭାବେ ଜାରି ରହିଛି। ଗତକାଲି ଅର୍ଥାତ ମେ’ ୫ ତାରିଖ ସୁଦ୍ଧା ଜିଲ୍ଲାର ୪,୭୩୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଓ ୪,୦୯୮ ଜଣଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକା ପ୍ରଦାନ କରାଯାଇଛି। ସେହିଭଳି ଜିଲ୍ଲାର ୭,୦୩୭ ଜଣ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୫,୨୯୯ ଜଣଙ୍କୁ ଦ୍ୱିତୀୟ ଡୋଜ କରୋନା ଟିକା ପ୍ରଦାନ କରାଯାଇଛି। ଏହାବ୍ୟତୀତ ୫୫ହଜାର ୮୫୫ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କ ସମେତ ବହୁବିଧ ରୋଗରେ ପୀଡ଼ିତ ଓ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ ଓ ୯,୮୧୮ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇଛି। ହିତାଧିକାରୀମାନେ ଟିକା ନେବାକୁ ଉତ୍ସାହର ସହ ଅପେକ୍ଷା କରୁଥିବା ଦେଖାଯାଇଛି। ତେବେ ଟିକା ଗ୍ରହଣ ପରେ ହିତାଧିକାରୀମାନେ ଖୁସି ପ୍ରକଟ କରିବା ସହ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିବା ପ୍ରକାଶ କରିଛନ୍ତି।