ସଂକଟାପନ୍ନ ଅବସ୍ଥାରେ ଚାଷ ଜମିରୁ ୩ ନାବାଳିକା ଉଦ୍ଧାର, ୨ ମୃତ

ଉନ୍ନାଓ,ଏଜେନ୍ସି: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଜିଲ୍ଲାର ଅସୋହା ଅଞ୍ଚଳରେ ବୁଧବାର ୩ ଜଣ ନାବାଳିକାଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୩ ନାବାଳିକାଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ନାବାଳିକାଙ୍କ ମଧ୍ୟରେ ଜଣେ ୧୩ ବର୍ଷର, ଜଣେ ୧୬ ବର୍ଷର ଓ ଅନ୍ୟ ଜଣେ ୧୭ ବର୍ଷର ଥିଲେ।

ପୁଲିସର ସୂଚନା ଅନୁସାରେ ୩ ଜଣ ବାଳିକା ଘାସ କାଟିବା ଲାଗି ବିଲକୁ ଯାଇଥିଲେ ଏବଂ ସେମାନେ ଘରକୁ ଫେରି ନଥିଲେ। ପରେ ସେମାନଙ୍କୁ ଚାଷ ଜମିରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ସେମାନଙ୍କ ଗୋଡ ହାତ ବନ୍ଧା ଯାଇଥିଲା ଓ ପାଟିରୁ ଫେଣ ବାହାରୁ ଥିଲା। ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳିକାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଏସପି ଆନନ୍ଦ କୁଲକର୍ଣ୍ଣି ସୂଚନା ଦେଇଛନ୍ତି। ଏଥିସହିତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।