ମେଳ ଖାଉନି ରିପୋର୍ଟ : ସ୍ଥାନୀୟ ପରୀକ୍ଷଣ ରିପୋର୍ଟ ପଜିଟିଭ, ଆଇସିଏମଆର ରିପୋର୍ଟ ନେଗେଟିଭ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ରାପିଡ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟକୁ ଗୁରୁତ୍ୱ ଦେଇ ଟେଷ୍ଟିଙ୍ଗ, ଟ୍ରେସିଙ୍ଗ ଓ ଟ୍ରିଟମେଣ୍ଟକୁ ପ୍ରାଧାନ୍ୟ ଦେଇଛନ୍ତି। ରିପୋର୍ଟ ଆଧାରରେ ସଂକ୍ରମିତଙ୍କ ଚିକିତ୍ସା ମଧ୍ୟ କରାଯାଉଛି। ମାତ୍ର ସଂକ୍ରମିତଙ୍କ ଚିକିତ୍ସାବେଳେ ଜଣେ ସଂକ୍ରମିତଙ୍କ ଭିନ୍ନ ଭିନ୍ନ ଟେଷ୍ଟିଙ୍ଗ ରିପୋର୍ଟ ଆସୁଥିବା କାରଣରୁ ରୋଗୀ ମାନସିକସ୍ତରରେ ଚାପଗ୍ରସ୍ତ ହୋଇ ପଡୁଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କୋଭିଡ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କ ରାପିଡ଼ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ତତକ୍ଷଣାତ ବାହାରି ସେହି ଅନୁଯାୟୀ ଚିକିତ୍ସା କରାଯାଉଥିବାବେଳେ ଆରଟିପିସିଆର ରିପୋର୍ଟ ମିଳିବାକୁ ୩/୪ଦିନ ସମୟ ଲାଗୁଛି। ଆଣ୍ଟିଜେନ ରିପୋର୍ଟ ଆଧାରରେ ସଂକ୍ରମିତ ବ୍ୟକ୍ତିଙ୍କୁ ଔଷଧ ଦେବା ପରେ ୧୭ଦିନ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଏକାଧିକ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ବ୍ୟକ୍ତିଙ୍କ ଆଇସିଏମଆର ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ନେଗେଟିଭ ଆସୁଥିବା ଦେଖିବାକୁ ମିଳିଛି।

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରୁଥିବା ବ୍ୟକ୍ତି ବିଶେଷ ସଂକ୍ରମିତ ହେଲେ ସ୍ଥାନୀୟ ରିପୋର୍ଟ ଆଧାରରେ ନିଜ ଚିକିତ୍ସା କରୁଥିବାବେଳେ ଗୃହ ସଂଗରୋଧ ରହୁଛନ୍ତି। ପରେ ନିଜ ଚାକିରି କ୍ଷେତ୍ରକୁ ଯିବା ସମୟରେ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ନିହାତି ଆବଶ୍ୟକ ପଡୁଥିବାବେଳେ ଗୋଟିଏ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ରିପୋର୍ଟ ଆସୁଥିବା କାରଣରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ତେବେ ଏଭଳି ବିଭ୍ରାନ୍ତମୂଳକ ତଥ୍ୟକୁ ନେଇ ଜନସାଧରଣ ଆଶ୍ଚର୍ୟ୍ୟ ହେଉଥିବାବେଳେ ପ୍ରଶାସନର କୋଭିଡ ପରିଚାଳନା ଯୋଜନାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।