ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ଜାତିଲି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ନିକଟସ୍ଥ ସମ୍ବାର କୁଡ଼ିଆ ନାମକ ଏକ ଜଙ୍ଗଲରୁ ପୁଲିସ ଜଣେ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର କରିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ଏହି ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ପଦ୍ମପୁର ପୁଲିସକୁ ଖବର ଦେବା ପରେ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଚିହ୍ନା ଯୁବକଙ୍କ ଶବକୁ ଉଦ୍ଧାର କରିଥିଲେ। ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ଯୁବକ ଜଣକ ପାଗଳ ଭଳି ଆଚରଣ କରିବା ସହ ଗତ କିଛିଦିନ ହେଲା ବୁଲୁଥିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ପଦ୍ମପୁର ଥାନା ଅଧିକାରୀ କହିଛନ୍ତି।