ବ୍ରାହ୍ମଣୀ ନଈ ପୋଲରୁ ଡେଇଁ ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଠାରୁ ଅନତି ଦୂରରେ ଥିବା ବ୍ରାହ୍ମଣୀ ନଈ ପୋଲରୁ ଡେଇଁ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ସମୟରେ ବାରକୋଟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଥିବା ବ୍ରାହ୍ମଣୀ ନଈ ପୋଲରୁ ଜଣେ ଅଜଣା ବ୍ୟକ୍ତି ପାଣିକୁ ଡେଇଁ ପଡିଥିଲା। କିଛି ବ୍ୟକ୍ତି ଏହା ଦେଖିପାରି ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ନଦୀରେ ମାଛ ଧରିବାକୁ ଯାଇଥିବା କେତେକ ମାଛ ଧରାଳିଙ୍କ ସହାୟତାରେ ନଈରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନା ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାରକୋଟ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।