ନୁଆଦିଲ୍ଲୀ,ଏଜେନ୍ସି: ମୁଜାଫରନଗରରେ କୃଷକ ଏକତାର ଶକ୍ତି ପ୍ରଦର୍ଶନ କରି ୧୫ ଟି ରାଜ୍ୟରୁ ୩୦୦ରୁ ଅଧିକ କୃଷକ ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ) ଅଧୀନରେ ଅଂଶଗ୍ରହଣ କରିବା ସହ ନୂତନ କୃଷି ଆଇନକୁ ବିରୋଧ ଜାରି ରଖିବାକୁ ସେମାନଙ୍କର ସଂକଳ୍ପକୁ ଦୋହରାଇଥିଲେ। ତିନୋଟି ବିବାଦୀୟ କୃଷି ଆଇନକୁ ବିରୋଧ କରି କୃଷକମାନେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୭ରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି।
କେନ୍ଦ୍ର ସରକାର କହିଛନ୍ତି ଯେ କେବଳ ହାତଗଣତି କୃଷକ ଏହାକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୃଷକ ସଂଗଠନ ସହ ୧୦ ରୁ ଅଧିକ ରାଉଣ୍ଡ ଆଲୋଚନା କରିସାରିଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି। ସେପଟେ କୃଷକ ନେତାମାନେ କହିଛନ୍ତି ଯେ ମହାପଞ୍ଚାୟତ ଏହା ମଧ୍ୟ ପ୍ରମାଣ କରିବ ଯେ ଏହି ଆନ୍ଦୋଳନରେ ‘ସମସ୍ତ ଜାତି, ଧର୍ମ, ରାଜ୍ୟ, ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସମସ୍ତ ବର୍ଗର’ ସମର୍ଥନ ରହିଛି।
ଏସକେଏମ୍ ଏକ ବିବୃତ୍ତିରେ କହିଛନ୍ତି, “ମହାପଞ୍ଚାୟତ ଆଜି ମୋଦୀ ଏବଂ ଯୋଗୀ ସରକାରଙ୍କୁ କୃଷକ, କୃଷି ଶ୍ରମିକ ଏବଂ ଚାଷ ଆନ୍ଦୋଳନର ସମର୍ଥକଙ୍କୁ ବୁଝାଇବ। ଗତ ୯ ମାସ ମଧ୍ୟରେ ମୁଜାଫରନଗର ମହାପଞ୍ଚାୟତ ସବୁଠୁ ବଡ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଗତ ନଅ ମାସ ଧରି ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରି ତିନିଟି ବିବାଦୀୟ ଚାଷୀ ଆଇନକୁ ରଦ୍ଦ କରିବାକୁ ଚାହୁଁଛନ୍ତି, ଯାହା ଏମଏସପି ସିଷ୍ଟମକୁ ନଷ୍ଟ କରିଦେବ ବୋଲି ସେମାନଙ୍କ ଆଶଙ୍କା ରହିଛି।