ଅଗଷ୍ଟ ୮ରେ କଟକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ସ୍ବାଗତ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ,ଏନ୍ଏନ୍ଏସ୍: ସିଲଭର ସିଟି କଟକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଆସନ୍ତା ଅଗଷ୍ଟ ୮ ତାରିଖରେ କଟକ ଆସୁଥିବାରୁ ଚଳଚଞ୍ଚଳ ହେଲାଣି କଟକ ବିଜେପି ଶିବିର । ଶାହଙ୍କ ଭବ୍ୟ ସ୍ବାଗତ ପାଇଁ ଜିଲ୍ଲା ବିଜେପିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି ଅମିତ ଶାହ ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା କଟକ ଜିଲ୍ଲା ପ୍ରଭାରୀଙ୍କ ନେତୃତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ସିଲଭର ସିଟିରେ ଅମିତ ଶାହଙ୍କର ଭବ୍ୟ ସ୍ବାଗତ ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ବିଜେପି । ୮ ତାରିଖରେ ଜବାହର ଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ର ନିଜର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ କରିବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହ । ତେବେ ଶାହଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ କଟକ ବିଜେପିର ସାରଳା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ୩୦୦ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିବା ବେଳେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା କଟକ ଜିଲ୍ଲା ପ୍ରଭାରୀ ପୃଥ୍ବୀରାଜ ହରିଚନ୍ଦନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ତେବେ ଫୁଲନଖରା ଛକରୁ ଆରମ୍ଭ କରି ଇନ୍ଦୋର ଷ୍ଟାଡିୟମ ପର୍ଯ୍ୟନ୍ତ ଶାହଙ୍କ ଭବ୍ୟ ସ୍ବାଗତ ପାଇଁ ସମସ୍ତ ନେତୃବୃନ୍ଦଙ୍କୁ ଟାସ୍କ ଦେଇଛନ୍ତି ବରିଷ୍ଠ ନେତା । ଏହାସହ ‘ହର୍‌ ଘର୍‌ ତ୍ରିରଙ୍ଗା’ ଯାତ୍ରାର ମଧ୍ୟ ଶୁଭାରମ୍ଭ କରିବେ ଶାହ । ତେବେ କେନ୍ଦ୍ର ଗୃହମନ୍ତ୍ରୀ କଟକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ।