ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ପହଞ୍ଚିଛି ଗଣତନ୍ତ୍ର: ଅମିତ ଶାହ

ଜମ୍ମୁ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି, ଦେଶରେ ପୂର୍ବୋତ୍ତର, ଜମ୍ମୁ କଶ୍ମୀର ଓ ମାଓ ପ୍ରଭାବିତ ଅଞ୍ଚଳରେ ଆଗାମୀ ଦିନରେ ସ୍ଥାୟୀ ଶାନ୍ତି ଆସିବ । ଜମ୍ମୁରେ ୮୩ତମ ସିଆରପିଏଫ ଦିବସ ପରେଡକୁ ସମ୍ବୋଧିତ କରି ଅମିତ ଶାହ ଏହା କହିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଏହା ପରଠାରୁ ଜମ୍ମୁ କଶ୍ମୀରରେ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ଗଣତନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଯାଇଛି । ଏଠାକାର ପ୍ରତ୍ୟେକ ଗାଁରେ ୱାର୍ଡମେମ୍ବର ଓ ସରପଞ୍ଚ ଚୟନ କରାଯାଇଛି । ଗାଁର ବିକାଶ ପାଇଁ ସେମାନଙ୍କୁ ଅଧିକାର ଦିଆଯାଇଛି ।

ଶାହ କହିଛନ୍ତି ଯେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମହିଳା ଓ ଆଦିବାସୀ ଭଳି ଅନୁନ୍ନତ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ଓ ବିକାଶ ହୋଇପାରିଛି । ଜମ୍ମୁ କଶ୍ମୀରରେ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ରାଜ୍ୟରେ ୭ଟି ମେଡିକାଲ କଲେଜ ଓ ୨ଟି ଏମ୍ସ ପ୍ରତିଷ୍ଠା କରାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ, ନକ୍ସଲବାଦ ଓ ପୂର୍ବେତ୍ତରରେ ଉଗ୍ରବାଦୀ ବଳ ବିରୋଧରେ ଲଢ଼ଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ଯେକୌଣସି ସ୍ଥାନରେ ଦଙ୍ଗା ଅଥବା ହିଂସା ହେଲେ ସେଠାରେ ସିଆରପିଏଫକୁ ମୁତୟନ କରାଯାଉଛି । ସିଆରପିଏଫର କାର୍ଯ୍ୟ ଉପରେ ଦେଶର ଜନତାକୁ ସନ୍ତୁଷ୍ଟି ମଧ୍ୟ ମିଳୁଛି । ସ୍ଥାନୀୟ ମୌଲାନା ଆଜାଦ ଷ୍ଟାଡ଼ିୟମରେ ଆୟୋଜିତ ସମାରୋହରେ ସିଆରପିଏଫର ଦିଲ୍ଲୀ-ଏନସିଆରରେ ସ୍ଥିତ ମୁଖ୍ୟାଳୟ ବାହାରେ ପରେଡ ଆୟୋଜନ କରାଯାଇଛି ।