ଦକ୍ଷିଣ କୋରିଆରେ ୩ ଦିନରେ ୧୪ ଲକ୍ଷ କରୋନା ପଜିଟିଭ୍‌, ଭାରତରେ ୪ର୍ଥ ଲହର ଆଶଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରେ କରୋନା ଭାଇରସର ଲହର ଚିନ୍ତାଜନକ ଭାବେ ବଢ଼ିଚାଲିଛି । ଦକ୍ଷିଣ ପୂର୍ବ ଏସିଆ କଥା ଯଦି ଚିନ୍ତା କରିବା ତା’ହେଲେ ୧୪ ମାସ ପରେ ଚୀନରେ କରେନା ପୁଣି ଥରେ ସକ୍ରିୟ ହୋଇଉଠିଛି । ହଙ୍ଗକଙ୍ଗ୍‌ରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ଏହି ସଂକ୍ରମଣ ଏପର୍ଯ୍ୟନ୍ତ ୫୪୦୧ ଜଣଙ୍କର ଜୀବନ ନେଇସାରିଛି । ୨୦୧୯ରେ ସଂକ୍ରମଣ ବ୍ୟାପିବା ପରେ ଏପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ (୪୬୩୬)ରୁ ମଧ୍ୟ ଏହା ଅଧିକ । ମୃତଦେହଗୁଡ଼ିକୁ ରେଫ୍ରିଜେରେଟେଣ୍ଡ ଶିପିଙ୍ଗ କଣ୍ଟେନରରେ ରଖିବାକୁ ପଡୁଛି । କାରଣ ସଂକ୍ରମଣ ଯଦି ବଢ଼ିବ ତା’ହେଲେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଯିବ ।

କରୋନା ସଂକ୍ରମଣର ଏବେ ଦକ୍ଷିଣ କୋରିଆରେ ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଅତିକ୍ରମ କରିସାରିଛି । ଅର୍ଥାତ ୧୪ ଲକ୍ଷ ଲୋକ କେବଳ ୩ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଠାରୁ ଶନିବାର ମଧ୍ୟରେ ଦକ୍ଷିଣ କୋରିଆରେ ୧୪ ଲକ୍ଷ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ତେବେ ଦକ୍ଷିଣ କୋରିଆରେ ଯେଭଳି ଭାବେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି, ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ଭାରତରେ କରୋନାର ଏପର୍ଯ୍ୟନ୍ତ ୩ଟି ଲହର ଅତିକ୍ରମ କରିସାରିଥିବା ବେଳେ ୪ର୍ଥ ଲହର ଆଶଙ୍କା ଦେଖାଯାଇଛି ।

ୟୁରୋପର ଫ୍ରାନ୍ସ, ଇଂଲଣ୍ଡ ଏବଂ ଇଟାଲିରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ୩୦ ପ୍ରତିଶତରୁ ଅଧିକ ବଢ଼ିଛି । ବିଶ୍ୱବ୍ୟାପୀ ଦୈନିକ ସଂକ୍ରମଣ ମଧ୍ୟ ବଢ଼ିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ୧୨ ପ୍ରତିଶତ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଜାରି କରିଛି ।