କରୋନାରେ ବେଶ୍ ପ୍ରଭାବିତ ୧୨ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏହାର ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବେଶ୍ ପ୍ରଭାବିତ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ବୈଠକ କରିଛନ୍ତି। ଏଥିରେ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଞ୍ଜାବ ଭଳି ରାଜ୍ୟ ସାମିଲ ଅଛି। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ୧୨ ରାଜ୍ୟର ବେଶ୍ ପ୍ରଭାବିତ ୪୬ ଜିଲ୍ଲାକୁ ବିଶେଷ ଧ୍ୟାନ ଦେଇଛନ୍ତି।

କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶେଷ କରି ୫ଟି କ୍ଷେତ୍ରକୁ ଧ୍ୟାନ ଦେଇଛନ୍ତି। ଏଥିରେ ଟେଷ୍ଟିଂ, ଟ୍ରେସିଂ, ଆଇସୋଲେସନ, ଟିକାକରଣ, କ୍ଲିନିକାଲ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେଇଛନ୍ତି। ଏହି ୪୬ଟି ଜିଲ୍ଲାରୁ ୧୨ ରାଜ୍ୟର ୭୧ ପ୍ରତିଶତ କରୋନା ମାମଲା ଚିହ୍ନଟ ହୋଇଛି। ଯେଉଁଥିରେ ମହାରାଷ୍ଟ୍ରର ସର୍ବାଧିକ ଜିଲ୍ଲା ରହିଛି। ଏଥିସହିତ ବୈଠକରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।